ଅଏଲ୍ ପାମ୍ ଚାଷ କରୁଛନ୍ତି ଡାକ୍ତର ବାବୁ ; ବର୍ଷକୁ ଲକ୍ଷ ଲକ୍ଷ ରୋଜଗାର

ଅଏଲ ପାମ୍ ଭଳି ନୂଆ ପ୍ରକାରର ଚାଷ କରି ଚର୍ଚ୍ଚାରେ ଅବସରପ୍ରାପ୍ତ ଡାକ୍ତର   । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି କର୍ମ ନିଯୁକ୍ତି । ବର୍ଷକୁ ମଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର । ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

30

କନକ ବ୍ୟୁରୋ: ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଏଲ ପାମ୍‌ ଚାଷ । ଅଏଲ ପାମ୍‌ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଂଚଳର ଶ୍ରମିକଙ୍କୁ ରୋଜଗାରକ୍ଷମ କରିବାରେ ସେ ସକ୍ଷମ ହୋଇଛନ୍ତି। ଚାକିରି ପଛରେ ଗୋଡ଼ାଇ ଚାଷକାମକୁ ହେୟଜ୍ଞାନ କରୁଥିବା ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ । 

ଅନେକ ଶିକ୍ଷିତ ଲୋକ ଏବେ ଚାଷ କାମକୁ ଆପଣାଉଛନ୍ତି । ଆଉ ଏଥିରେ ସଫଳ ମଧ୍ୟ ହେଉଛନ୍ତି । ତେବେ ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆନନ୍ଦ କୁମାର ପାଢ଼ୀ ତାଙ୍କ ଜମିରେ ନୂଆ ପ୍ରକାରର ଚାଷ କରିଛନ୍ତି । ୨୦୧୬ ମସିହାରେ ଚାକିରିରୁ ଅବସର ନେବା ପରେ ଅଏଲ ପାମ୍ ଚାଷ କରି ସଫଳତା ପାଇଛନ୍ତି । ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୁର୍ବଳତା ଓ ଚାଷୀ ପରିବାରରୁ ଆସିଥିବାରୁ ସେ ଏହି ଚାଷ କରିବା ପାଇଁ ମନ ବଳାଇଥିଲେ  । ଆନ୍ଧ୍ର ଚାଷୀଙ୍କ ପ୍ରେରଣା ଓ ଉଦ୍ୟାନ କୃଷି ବିଭାଗ ସହାୟତାରେ ରାମାନାଗୁଡା ବ୍ଲକ ବାଙ୍ଗି ଠାରେ ଥିବା ନିଜର ୭ ଏକର ପରିମିତ ଜମିରେ ଜୈବିକ ଓ ବୁନ୍ଦା ଜଳସେଚନ ପଦ୍ଧତିରେ ଅଏଲ ପାମ୍‌ ଚାଷ କରିଛନ୍ତି ।  ୨୦୨୧-୨୨ ଆର୍ଥିକ ବର୍ଷରେ ଆନ୍ଧ୍ରପ୍ରଦେଶ ପାର୍ବତୀପୁରରୁ ଚାରା ଆଣି ଜମିରେ ରୋପଣ କରିଥିଲେ । ଦୀର୍ଘ ୪ ବର୍ଷ ପରେ ଚାଷୀଙ୍କ କ୍ଷେତରୁ ପ୍ରଥମ ପର୍ଯ୍ୟାୟରେ ୧୭ ଟନ୍‌ରୁ ଅଧିକ ଅଏଲ ପାମ୍‌ ଉତ୍ପାଦନ ହୋଇଛି।

ଉତ୍ପାଦିତ ଫସଲକୁ ଚାଷୀ ଜଣକ ଟନ୍‌ ପିଛା ୧୭ -୨୨ ହଜାର ଟଙ୍କାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଆନ୍ଧ୍ରପ୍ରଦେଶ କୁରୁପାମ ଠାରେ ଥିବା ଲକ୍ଷ୍ମୀ ବାଲାଜୀ ନାମକ ଅଏଲ ପାମ୍‌ ପ୍ରକ୍ରିୟାକରଣ ୟୁନିଟ୍‌ରେ ବିକ୍ରି କରୁଛନ୍ତି । ଅନ୍ୟପଟେ ଚାଷୀଙ୍କ କ୍ଷେତରେ ବର୍ଷ ତମାମ କର୍ମ ନିଯୁକ୍ତି ପାଇ ସ୍ଥାନୀୟ ଅଂଚଳର ଶ୍ରମିକ ବେଶ ଖୁସି ଜାହିର କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଜଳସେଚନ ସୁବିଧା ସହ ଚାଷ ପାଇଁ ଆବଶ୍ୟକ ଜ୍ଞାନ କୌଶଳ, ତାଲିମ ପ୍ରଦାନ କରିବା ସହ ଉତ୍ପାଦିତ ଫସଲକୁ ବିକ୍ରିବଟା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କଲେ ନୂତନ ଯୁବ ପିଢ଼ି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe