କନକବ୍ୟୁରୋ :  ଜୀବନ,  ଖୁବ୍‌ କମ୍‌ ସମୟର ଖେଳଟିଏ । କିଏ ତାକୁ କେମିତି ଖେଳିବ ତାହା ତାଙ୍କ'ଉପରେ ନିର୍ଭର କରେ। କିନ୍ତୁ କେତେଦିନ ଖେଳିବ, ତାହା କେବଳ ବିଧାତାଙ୍କୁ ଜଣା । ସେଇ ସୃଷ୍ଟିକର୍ତ୍ତା ହିଁ ଏହାର ନିର୍ଦ୍ଧାରକ। ହେଲେ ସେବା କରୁକରୁ ସ୍ୱର୍ଗବାସୀ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଖୁବ୍‌ କମ୍‌ ବ୍ୟକ୍ତି ଏମିତି ସୌଭାଗ୍ୟ ନେଇ ଆସିଥାନ୍ତି। ସେମିତି ଜଣେ ମଣିଷ ଆଜି ଏଇ ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଏ ସଂସାର ଛାଡ଼ି ପରପାରିର ପଥିକ ହୋଇସାରିଛନ୍ତି  । 

Advertisment

ଆମେ କଥା ହେଉଛେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ୍‌ଙ୍କ ସଂପର୍କରେ। ଯିଏ ବାଲେଶ୍ୱର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଅନେକ କଅଁଳ ଜୀବନକୁ ଦୁନିଆକୁ ଆଣିଛନ୍ତି। ତାଙ୍କ ପାଖରେ ଚିକିତ୍ସିତ ହୋଇ ଅନେକ ମହିଳା ମାଆ ହୋଇଛନ୍ତି । ଅନ୍ୟ ଦିନ ଭଳି ଆଜି ବି ଡାକ୍ତରଖାନା ଆସିଥିଲେ, ରୋଗୀ ଦେଖୁଥିଲେ ।  ହେଲେ ତାଙ୍କୁ କଣ ଜଣାଥିଲା ଆଜି ତାଙ୍କର ଏହା ଶେଷ ରୋଗୀଦେଖା ବୋଲି। ରୋଗୀ ଦେଖିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । 

ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଡାକ୍ତର ବାବୁଙ୍କ ପିଣ୍ଡରୁ ପ୍ରାଣ ଛାଡ଼ି ସାରିଥିଲା । ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତଥା ବ୍ଲଡ ବ୍ୟାଙ୍କ ଇନଚାର୍ଜ ଥିଲେ ଡାକ୍ତର ତ୍ରିନାଥ ପାଲ। ତାଙ୍କ ଦେହାନ୍ତ ଖବର ଶୁଣି ଡାକ୍ତରଖାନାରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।  ଡାକ୍ତରଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର, ସାଥୀ ଡାକ୍ତର ଏବଂ ଅନ୍ୟ କର୍ମଚାରୀ।