କନକ ବ୍ୟୁରୋ: “ଗାନ୍ଧୀ ପରିବାର ମୋ ଭଗବାନ, ମୁଁ ତାଙ୍କର ଭକ୍ତ । ଗାନ୍ଧୀ ପରିବାର ଉପରେ କେହି ପ୍ରଶ୍ନ ଉଠାଇପାରିବେନି । ମୁଁ ଜନ୍ମରୁ କଂଗ୍ରେସୀ, ଆଉ ମଲା ପର୍ଯ୍ୟନ୍ତ କଂଗ୍ରେସୀ ରହିବି”, କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଙ୍ଗଳବାର ପୁଣିଥରେ ଗାନ୍ଧୀ ପରିବାର ଏବଂ କଂଗ୍ରେସ ପ୍ରତି ଥିବା ତାଙ୍କ ନିଷ୍ଠାର ପ୍ରମାଣ ଦେବାକୁ ଯାଇ ଏମିତି କହିଛନ୍ତି । ନିକଟରେ ବିଧାନସଭା ଭିତରେ ଆରଏସଏସର ଗୀତ ଗାଇବାକୁ ନେଇ ଚର୍ଚ୍ଚାରେ ଥିବା ଶିବକୁମାର, ଏବେ କଂଗ୍ରେସକୁ ଏମିତି କହିବା ଚର୍ଚ୍ଚା ସୃଷ୍ଟି କରିଛି ।

Advertisment

ଶିବକୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ମୋ ଟିପ୍ପଣୀ କାହାକୁ ଆଘାତ ପହଞ୍ଚାଇଛି, ତେବେ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ । ହେଲେ ରାଜନୈତିକ ଚାପ କାରଣରୁ ମୁଁ କଦାପି କ୍ଷମା ମାଗିବିନି । ତେବେ ତାଙ୍କ ଭାଷଣକୁ ଜାଣିଶୁଣି ଅତିରଞ୍ଜିତ କରି ପରିବେଷଣ କରାଯାଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୪୭ ବର୍ଷ ବୟସରେ ରାଜନୀତି ବିଜ୍ଞାନରେ ଡିଗ୍ରୀ ପୂରଣ କରିଛନ୍ତି । ବିଧାୟକ ହେବା ପୂର୍ବରୁ ସେ କଂଗ୍ରେସ, ଗାନ୍ଧୀ ପରିବାର, ଆରଏସଏସ୍, ବିଜେପି, ଜନତା ଦଳ, କମ୍ୟୁନିଷ୍ଟ ଏବଂ ଅନ୍ୟ ରାଜନୈତିକ ଦଳ ବିଷୟରେ ଗଭୀର ଭାବେ ଅଧ୍ୟୟନ କରିଛନ୍ତି ।

ତେବେ ଗାନ୍ଧୀ ପରିବାର ତାଙ୍କ ପାଇଁ ଭଗବାନ ବୋଲି କହିବା ସହ ସେ ନିଜେ ଭକ୍ତ ବୋଲି କହିଛନ୍ତି ଶିବକୁମାର । ଏହାସହ ସେ ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସୀ ରହିବେ ବୋଲି ମଧ୍ୟ ଖୋଲା ଘୋଷଣା କରିଛନ୍ତି । ଏହାସହ ଶିବକୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରହିଥିବା ତାଙ୍କ ଦୀର୍ଘ ବର୍ଷର ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି ।