କନକ ବ୍ୟୁରୋ: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’। ବିକଟାଳ ଶବ୍ଦରେ ଗର୍ଜିଲା ଡିଜେ । କଟକରେ ଭସାଣ ଉତ୍ସବ ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।..
ଡିଜେ ତାଳେତଳେ ମତୁଆଲା ଯୁବପିଢ଼ି । କଟକ ଗଣେଶ ଭସାଣ ଉତ୍ସବରେ ରବିବାର ୩ ଶହରୁ ଅଧିକ ମେଢ଼ ଦେବୀଗଡ଼ାରେ ବିସର୍ଜନ ହୋଇଥିବା ବେଳେ ଡିଜେ କଟକଣାର ଧଜିଆ ଉଡ଼ିଛି। ଶବ୍ଦ ପ୍ରଦୂଷଣ ରୋକିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଡିଜେ ସାଉଣ୍ଡ ୬୫ ଡେସିବେଲ ତଳକୁ ରଖିବାକୁ । ମାତ୍ର ବାସ୍ତବ ସ୍ଥିତି ଥିଲା ସଂପୂର୍ଣ୍ଣ ଭିନ୍ନ।
କଟକ ସହରର ସମସ୍ୟା ସଂପର୍କରେ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସ୍ପଟ୍ ନିର୍ଦ୍ଦେଶ ଦେଇଥିଲେ । ସହରର ତୋରଣ ନିର୍ମାଣ ଏବଂ ଶବ୍ଦ ପ୍ରଦୂଷଣ ନେଇ ଗାଇଡ୍ଲାଇନ ରଖାଯାଇଥିଲା । ମାତ୍ର ଭସାଣ ବେଳେ ତାହା ଦେଖିବାକୁ ମିଳିନି । ଅନ୍ୟପଟେ ପୁଲିସ ପକ୍ଷରୁ ସବୁ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯାଉଥିବା ଡିସିପି କହିଛନ୍ତି । ଆଗକୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାର କଥା।