କନକ ବ୍ୟୁରୋ : ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି । ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।
/filters:format(webp)/kanak/media/media_files/2025/10/14/deepavali-2025-10-14-12-20-59.jpg)
ତେବେ ଆମେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ସୁପ୍ରିମକୋର୍ଟ କେବଳ ସବୁଜ ବାଣକୁ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ଏବଂ ଶବ୍ଦ-ସୃଷ୍ଟି କରୁଥିବା ବାଣର ଉତ୍ପାଦନ ଏବଂ ବିକ୍ରିକୁ ନିଷେଧ କରିଛନ୍ତି । ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜିତ କରାଯାଇଛି । ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ ନିର୍ଦ୍ଦେଶାବଳୀ ଜାରି କରିନି ଏହି ନିୟମକୁ ଅଣଦେଖା କଲେ Orissa Fire Crackers & Loud Speakers (Regulation) Act 1958 ଓ Noise Pollution (Regulations and Control) Rules, 2000) ଅନୁସାରେ ଦଣ୍ଡ ଭୋଗିବେ ବୋଲି ଚେତାବନୀ ମଧ୍ୟ ଦେଇଛି । ତେବେ ଯଦି ଏହି ନିୟମକୁ କେହି ପାଳନ କରୁନାହାନ୍ତି ତାହେଲେ ଆପଣ ସମ୍ବନ୍ଧିତ ଜିଲ୍ଲା ଓ ଉପବିଭାଗର District Magistrate, ADM, SDM, SP, ASP, DSP ଓ SDPOଙ୍କ ନିକଟରେ ଅଭିଯୋଗ କରିପାରିବେ । ତେବେ ଖାଲି ନିର୍ଦ୍ଦେଶାବଳୀ ଏବଂ ଦଣ୍ଡ ଉପରେ ନୁହେଁ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି ବୋର୍ଡ । ବାଣ ଫୁଟାଇବା ସମୟରେ ନିକଟରେ ପାଣି କିମ୍ବା ବାଲି ରଖିବେ । ବାଣକୁ ହାତରେ ନ ଜଳାଇ ଭୂମିରେ ରଖି ଜଳାଇବେ ଏବଂ ଉପଯୁକ୍ତ ଦୂରତାରେ ଛିଡ଼ା ହୋଇ ବାଣ ଫୁଟାଇବେ । ପ୍ରଥମ ଥରରେ ନ ଫୁଟିଥିବା ବାଣକୁ ପୁଣିଥରେ ଜଳାଇବାର ଚେଷ୍ଟା କରିବେ ନାହିଁ । ବାଣ ଫୁଟି ସାରିବା ପରେ ଏହାକୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହାଦ୍ବାରା ଅକସ୍ମାତ ଅଗ୍ନିକାଣ୍ଡରୁ ବଞ୍ଚାଯାଇପାରିବ । ପଶୁପକ୍ଷୀଙ୍କ ପାଖରେ ବାଣ ଫୁଟାନ୍ତୁ ନାହିଁ । ବୃଦ୍ଧ ଏବଂ ରୋଗୀ ବାଣର ଧୂଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବାଣ ଫୁଟାଇବା ବେଳେ ଆଖିର ସୁରକ୍ଷା ପାଇଁ ଚଷମା ନିହାତି ପିନ୍ଧନ୍ତୁ ।