କନକ ବ୍ୟୁରୋ:  ଘର ଖଣ୍ଡିଏ ପାଇଁ ଦଉଡ଼ି ଦଉଡି ହତାଶ ହେବା ପରେ ଦୁଇ ଦିନ ତଳେ ଯାଜପୁର ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ ଦିବ୍ୟାଙ୍ଗ ଭାଇ-ଭଉଣୀ ପ୍ରଫୁଲ୍ଲ ଓ ତିଳୋତମା । ଗୀତ ବୋଲି ଗୀତ ମାଧ୍ୟମରେ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାକୁ ନେହୁରା ହୋଇଥିଲେ । ଅସହାୟ ଭାଇ ଭଉଣୀଙ୍କ ଦୁଃଖରେ ସାମିଲ ହୋଇଥିଲା କନକ ନ୍ୟୁଜ । ଏହି ଖବରକୁ ବାରମ୍ବାର ପ୍ରସାରଣ କରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କୁ ଘର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ବର୍ଷ ବର୍ଷର ଅପେକ୍ଷା ଯେତେବେଳେ ପୂରଣ ହେବାକୁ ଯାଉଛି, ସେତେବେଳେ ଖୁସିର ବିଭୋର ହୋଇଛନ୍ତି ଯାଜପୁରର ଅସହାୟ ପ୍ରଫୁଲ୍ଲ । ପୂର୍ବରୁ ସେ ବହୁ ନେତା, ମନ୍ତ୍ରୀ, ବାବୁଙ୍କୁ ଗୁହାରି କରିଥିଲେ, ହେଲେ ତାଙ୍କ ଝାଟି ମାଟି ଭଙ୍ଗା ଘର କାହାକୁ ଦେଖାଯାଇନଥିଲା । ତାଙ୍କ ଗୁହାରୀ କାହା କାନକୁ ଶୁଭିନଥିଲା । କିନ୍ତୁ ଏବେ ତାଙ୍କ ଗୁହାରି ପୂରଣ ହେବାକୁ ଯାଉଛି । କନକ ନ୍ୟୁଜରେ ପ୍ରଫୁଲ୍ଲଙ୍କ ଆକୁଳନ ନିବେଦନର ଖବର ପ୍ରସାରଣ ପରେ, ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ପ୍ରଫୁଲ୍ଲଙ୍କ ଆବାସ ଘର ଆବେଦନକୁ ଅନୁମୋଦନ ମିଳିଛି। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଶାସନକୁ ଗୀତରେ ଗୀତରେ କୃତଜ୍ଞତା ଜଣାଇଛନ୍ତି। 
 
ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡ଼ି ଅଞ୍ଚଳରେ ତିଳୋତମା ଓ ପ୍ରଫୁଲ୍ଲ୍ଲଙ୍କ ଘର । ଘର କହିଲେ ଝାଟିମାଟି କାନ୍ଥ ଉପରେ ଜରିପାଲ ଛପର । ପୂର୍ବରୁ କନକ ନ୍ୟୁଜରେ ଖବର ପ୍ରସାରଣ ପ୍ରସାରଣ ପରେ ତାଙ୍କୁ ଜମିପଟ୍ଟା ମିଳିଥିଲା । ଆବାସ ପାଇଁ ପ୍ରତିଶ୍ରୁତି  ମିଳିଥିଲା । ହେଲେ ପୂର୍ବ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିଲା । ଏବେ ଆବାସ ପାଇଁ ତାଲିକା ହେଉଥିବାରୁ ଦୁଇ ଦିନ ତଳେ ଏନେଇ ତିଳୋତ୍ତମା ଓ ପ୍ରଫୁଲ୍ଲ୍ଲ ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ପ୍ରଶାସନକୁ ଭେଟିଥିଲେ । ଆବାସ ଅନୁମୋଦନ ମିଳିବା ପରେ ଏବେ ଘର ନିର୍ମାଣକୁ ଅପେକ୍ଷା । ମୁଣ୍ଡ ଉପରେ ଛାତଖଣ୍ଡେ ପାଇଁ ଚାତକ ପରି ଚାହିଁ ରହିଛନ୍ତି ପ୍ରଫୁଲ୍ଲ ।