କନକ ବ୍ୟୁରୋ: ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଆୟୋଜିତ ହେଉଛି ନିଯୁକ୍ତି ମେଳା। ଯାଜପୁରରେ ୧୦ରୁ ଅଧିକ ଶିଳ୍ପ ସଂସ୍ଥା ରହିଛି। କିନ୍ତୁ ଜିଲ୍ଲାସ୍ତରରେ ଗୋଟିଏ ବି କମ୍ପାନୀ ନିଯୁକ୍ତି ମେଳାରେ ସାମିଲ ହୋଇ ନାହାନ୍ତି। ଯାହା ଆଶାୟୀଙ୍କୁ ନିରାଶ କରିଛି।

Advertisment

ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ଦୂର ହେବ। ଏଭଳି କିଛି ଆଶା ଦେଖାଇ ଯାଜପୁରରେ ଠିଆ ହୋଇଛି ୧୦ରୁ ଅଧିକ ବଡ଼ ବଡ଼ ଶିଳ୍ପାନୁଷ୍ଠାନ। ହେଲେ ନିଯୁକ୍ତି ବେଳକୁ ନାଁ କରା କମ୍ପାନୀଙ୍କ ଦେଖା ମିଳୁନାହିଁ। ଯାଜପୁର ଏନ୍‌ସି କଲେଜ କ୍ୟାମ୍ପସରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ଯେଉଁଠି କେବଳ ସିକ୍ୟୁରିଟି ସଂସ୍ଥା ଓ ଅନ୍ୟାନ୍ୟ ଅନାମଧେୟ କମ୍ପାନୀକୁ ଦେଖିବାକୁ ମିଳିଥିଲା। ଫଳରେ ନାମୀଦାମି କମ୍ପାନୀରେ ଚାକିରି ଆଶାରେ ଆସିଥିବା ଆଶାୟୀ ନିରାଶ ହୋଇ ଫେରିଛନ୍ତି।

ପ୍ରତିବର୍ଷ ଏଭଳି ନିଯୁକ୍ତି ମେଳା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ। କିନ୍ତୁ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନେ ଏହି ନିଯୁକ୍ତି ମେଳାକୁ ଆସୁନାହାନ୍ତି। ସେପଟେ ଜିଲ୍ଲା ନିୟୋଜନ ଅଧିକାରୀ କହିଛନ୍ତି, ବିଭିନ୍ନ କମ୍ପାନୀଙ୍କୁ ନିମନ୍ତ୍ରଣ ଦିଆଯାଇଥିଲେ ସୁଦ୍ଧା ସେମାନେ ଆସିଲେ ନାହିଁ। ପ୍ରତିବର୍ଷ ନିଯୁକ୍ତି ମେଳା ନାଁରେ କେବଳ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଭଣ୍ଡାଇ ଡାଟା ସଂଗ୍ରହ କରାଯାଉଛି ବୋଲି ଅଭିଯୋଗ ହୋଇଛି।