କନକ ବ୍ୟୁରୋ : ରାୟଗଡ଼ାରେ ଘନଉଛି ଜିଲ୍ଲାପାଳ ଓ ସାମ୍ବାଦିକଙ୍କ ବିବାଦ । ଜିଲ୍ଲାପାଳଙ୍କ ମେରିରାୟ ଶାସନ ଓ ସାମ୍ବାଦିକଙ୍କ ପ୍ରତି ଘୃଣାଭାବ ବଢ଼ିବାରେ ଲାଗିଛି । ଜିଲ୍ଲାସ୍ତରିୟ ବୈଠକକୁ ସାମ୍ବାଦିକଙ୍କୁ ମନା । କୌଣସି ଘଟଣାରେ ନିଜେ ପ୍ରତିକ୍ରିୟା ରଖୁ ନାହାନ୍ତି ଜିଲ୍ଲାପାଳ । ଅନ୍ୟ କୌଣସି ଅଧିକାରୀଙ୍କୁ ମଧ୍ୟ ପ୍ରତିକ୍ରିୟା ନଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଛନ୍ତି । ଜିଲ୍ଲାରେ ଚାଲିଥିବା ଦୁର୍ନିତି ପଦାରେ ପଡିଯିବାର ଭୟ ରହିଛି ବୋଲି ପ୍ରଶ୍ନ ଉଠିଛି ।
ସରକାର ବଦଳିଲେ କିନ୍ତୁ ଅଫିସର ରାଜ ନିଶା ଛାଡୁନି । କିଛି ଦିନ ତଳେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆରଡିସି ବୈଠକକୁ ସାମ୍ବାଦିକଙ୍କୁ ଡକାଯାଇଥିଲା । ବୈଠକ ପୂର୍ବରୁ ଜିଲ୍ଲାପାଳ ପାରୁଲ ପଟୱାରି ସାମ୍ବାଦିକଙ୍କୁ ବୈଠକ ଗୃହରୁ ବାହାରିଯିବାକୁ କହିଥିଲେ । ଏହାକୁ ନେଇ ସାମ୍ବାଦିକ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରାୟଗଡା ବିଧାୟକ କାଡ୍ରାକା ଆପଲାସ୍ୱାମୀ ଏହାକୁ ବିରୋଧ କରି ସାମ୍ବାଦିକମାନେ ବୈଠକରେ ରହିବେ ବୋଲି ଦାବି କରିଥିଲେ । ଜିଲ୍ଲାପରିଷଦ ବୈଠକରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । କେବଳ ଏତିକି ନୁହେଁ, କୌଣସି ସମସ୍ୟା ସଂପର୍କରେ ପ୍ରତିକ୍ରିୟା ପାଇଁ ଗଲେ ଜିଲ୍ଲାପାଳ ବାରମ୍ବାର ସାମ୍ବାଦିକଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି । ନିଜେ କହୁ ନାହାନ୍ତି, ଅନ୍ୟ ଅଧିକାରୀଙ୍କୁ ପ୍ରତିକ୍ରିୟା ରଖିବାକୁ ବାରଣ କରିଛନ୍ତି । ସାମ୍ୱାଦିକଙ୍କ ପ୍ରତି ଜିଲ୍ଲାପାଳଙ୍କ ଆଚରଣକୁ ବିରୋଧ କରିଛନ୍ତି କୋରାପୁଟ ସାସଂଦ, ରାୟଗଡା ବିଧାୟକ, ଆଇନଜୀବୀ ଓ ବରିଷ୍ଠ ନାଗରିକ ।
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ। ବିଧାନସଭା ଓ ଲୋକସଭାକୁ ସାମ୍ବାଦିକଙ୍କୁ ଅନୁମତି ଥିବା ବେଳେ ରାୟଗଡ଼ାରେ କାହିଁକି ମନା ବୋଲି ପ୍ରଶ୍ନ କରିଥିଲେ ସାଂସଦ। ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି- ସାମ୍ବାଦିକମାନେ ସବୁ ବିଷୟରେ ଜାଣିବାର ଅଧିକାର ଅଛି । ଯଦି ବୈଠକକୁ ଡକାଯାଉନି, ତେବେ ବୈଠକ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକଙ୍କୁ ବିସ୍ତୃତ ବିବରଣୀ ଦିଆଯିବ ।
ଅପହଞ୍ଚ ଇଲାକାର ସମସ୍ୟା ହେଉ ବା ରାଜନିତୀର ହାଲଚାଲ । ଲୋକଙ୍କ ପାଖରେ ସବୁ ଖବର ପହଂଚାଇଥାନ୍ତି ସାମ୍ୱାଦିକ । ଜିଲ୍ଲାସ୍ତରୀୟ ବୈଠକ ହେଉ ଅବା ସରକାରୀ ଯୋଜନାର ସମୀକ୍ଷା ବୈଠକ, ସବୁଠି ସାମ୍ବାଦିକଙ୍କ ତୀକ୍ଷ୍ମ ନଜର ଥାଏ । ରାୟଗଡ଼ାରେ ଜିଲ୍ଲାସ୍ତରୀୟ ବୈଠକରେ ସାମ୍ବାଦିକଙ୍କୁ ମନା କରି, ପ୍ରଟୋକଲ କହି ଚର୍ଚ୍ଚାରେ ଜିଲ୍ଲାପାଳ ମ୍ୟାଡମ୍ ।