କନକ ବ୍ୟୁରୋ: ଯାଜପୁରରେ କଲେରା କେସ୍ ଚିହ୍ନଟ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ । ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇବାକୁ ଦେଇଛନ୍ତି ପରାମର୍ଶ । ରଜ ସମୟ ଥିବାରୁ ସାମୁହିକ ସମାବେଶ କି ଭୋଜି ନକରିବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୮ ଜଣ ରୋଗୀଙ୍କ ଠାରେ କଲେରା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମରେ ପୁରା ଜ଼ିଲ୍ଲାର ସ୍ଥିତି ଯାଞ୍ଚ ହେଉଛି ।
ଆଗକୁ ବର୍ଷା ଆସୁଥିବାରୁ ଏହା ଅଧିକ ବିପଦ ଆଣିପାରେ ବୋଲି କୁହାଯାଉଛି । ଚିହ୍ନଟ ରୋଗୀଙ୍କ ପରିବାର ଲୋକ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସ୍ଥା ହୋଇଛି । ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ସେଲ ଓ ଡାକ୍ତରୀ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ଯାଜପୁରରେ ୫ ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟ ଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି। ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି ।