କନକବ୍ୟୁରୋ : ଆଜି ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍ସରେ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ସରିଛି । ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବ । ଏହାପରେ ଦିଲ୍ଲୀରୁ ରାତି ୯ଟାରେ ପାର୍ଥିବ ଶରୀରକୁ ନେଇ ଓଡ଼ିଶା ବାହାରିବେ ପରିବାର ଲୋକ । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ମରଶରୀରକୁ ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ । ସେଠାରେ ପୀଡିତଙ୍କୁ କବର ଦିଆଯିବ ବୋଲି ସୂଚନା ମିଳିଛି ।
ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟା ୬ଟା ୨୨ରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟ ହୋଇଛି । ସେପଟେ ଅନ୍ତିମ ସଂସ୍କାର ପାଇଁ ପୀଡ଼ିତାଙ୍କ ଗାଁ ବଳଙ୍ଗା ବାୟାବରରେ କବର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ନିକଟ ସଂପର୍କୀୟ ଓ ସାହି କବର ଖୋଳୁଛନ୍ତି । ପୀଡ଼ିତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘରେ ତାଲା ଝୁଲୁଛି । ଗତକାଲିଠୁ ଘରେ କେହିନଥିବା ଜଣାପଡିଛି । ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି। ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି । ଏଥିସହ ବଳଙ୍ଗା ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଛି । ତାଙ୍କ ବାପା କହିଛନ୍ତି, ଯେ ସରକାର ଯାହା ପଦକ୍ଷେପ ନେଇଛନ୍ତି ସେଥିରେ ସେ ଖୁସି । ବିରୋଧୀ ଦଳଙ୍କ କାମ ବିରୋଧ କରିବା କିନ୍ତୁ କାହା ଜୀବନକୁ ନେଇ ରାଜନୀତି ନହେଉ ।