କନକ ବ୍ୟୁରୋ : ଆରମ୍ଭ ହୋଇଛି ଚଳିତ ଶିକ୍ଷାବର୍ଷର ଡାକ୍ତରୀ ପାଠପଢ଼ା ପ୍ରଥମ ପର୍ଯ୍ୟାୟ ନାମଲେଖା । କିନ୍ତୁ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଆରମ୍ଭ ହୋଇପାରିଲାନି ଏମ୍ବିବିଏସ୍ ପାଠପଢ଼ା । ମେଡିକାଲ କଲେଜ କର୍ତ୍ତୃପକ୍ଷ କହୁଛନ୍ତି, ଭିତ୍ତିଭୂମି ଅଛି, ଏନ୍ଏମ୍ସି ଅନୁମୋଦନ ମିଳିଲେ, ହେବ ପାଠପଢ଼ା।
୭ ବର୍ଷ ତଳୁ ନିର୍ମାଣ ହୋଇଛି ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ କୋଠା । ଚଳିତ ବର୍ଷ ଆରମ୍ଭରୁ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯାଇଛି । ଏମ୍ବିବିଏସ୍ ପାଠପଢ଼ା ଲାଗି ୮ଟି ବିଭାଗ କାମ କରୁଛି । ଏକାଡେମିକ୍ ବ୍ଲକ୍, ଶ୍ରେଣୀଗୃହ, ହାଇଏଣ୍ଡ୍ ଅଡିଓ-ଭିଜୁଆଲ ସିଷ୍ଟମ୍ ଲାଗିଛି। ୧୩୬ ଜଣ ପ୍ରଫେସର ଓ ଡାକ୍ତର ବି ନିଯୁକ୍ତ ହୋଇଛନ୍ତି । ତଥାପି ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆରମ୍ଭ ହୋଇନି । ଏବେ ପ୍ରଶ୍ନ ଉଠୁଛି, ଭିତ୍ତିଭୂମି ଥାଇ ବି କାହିଁକି ହେଉନି ଡାକ୍ତରୀ ପାଠପଢ଼ା? ସେପଟେ ମେଡିକାଲ କଲେଜର ଡିନ୍ଙ୍କ କହିବା କଥା, ୧୦୦ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଏନ୍ଏମ୍ସି ନିକଟରେ ପଞ୍ଜୀକରଣ ହୋଇଛି। ଗତ ଜୁନ୍ରେ ଏନ୍ଏମ୍ସିର ଏକ ଟିମ୍ ସମୀକ୍ଷା କରିଛନ୍ତି। ଏନ୍ଏମ୍ସିର ଅନୁମୋଦନ ମିଳୁନଥିବାରୁ ନାମ ଲେଖା ହୋଇପାରୁନାହିଁ।
୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ପାଇଁ ୪୨୦ଶଯ୍ୟାର ହସ୍ପିଟାଲ ଆବଶ୍ୟକ । ସେଥିପାଇଁ ୨୫ କିମି ଦୂର ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ୪୬୫ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଛି । ପ୍ରତିଦିନ ପ୍ରାୟ ୧୨ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ତାଳଚେରରେ ମେଡିକାଲ କଲେଜ ଓ ଅନୁଗୁଳରେ ଡାକ୍ତରଖାନାକୁ ନେଇ ବଢ଼ୁଛି ଅସନ୍ତୋଷ । ସରକାର ତୁରନ୍ତ ଏ ଦିଗରେ ପୁନର୍ବିଚାର କରି, ଅନୁଗୁଳରେ ଥିବା ହସ୍ପିଟାଲକୁ ପବିତ୍ର ମୋହନ ମେଡିକାଲ କଲେଜ ପରିସରକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।
Follow Us