କନକ ବ୍ୟୁରୋ: ବିଜେଡିରେ ସବୁକିଛି ଠିକଠାକ ଅଛି ତ। କହିବାର କାରଣ ହେଉଛି, ନିର୍ବାଚନ ପୂର୍ବରୁ ଅନେକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ମିଶିଥିଲେ। ହେଲେ ନିର୍ବାଚନ ସରିବା ପରେ ଦଳରେ ଏମାନଙ୍କ ସ୍ଥିତିକୁ ନେଇ ଉଠୁଛି ପ୍ରଶ୍ନ। ଗୁରୁବାର ପ୍ରକାଶ ବେହେରା ଦଳ ଛାଡ଼ିବା ପରେ ଆଗକୁ ଏହି ତାଲିକା ଆହୁରି ଲମ୍ବିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେପିର ମାଳ ମାଳ ନେତା ବିଜେଡି ଶିବିରକୁ ଲମ୍ଫ ଦେଇଥିଲେ । ହେଲେ ନିର୍ବାଚନ ହାରିବା ପରେ ସେମାନଙ୍କ ସବୁ ସ୍ୱପ୍ନ ପାଣି ଫୋଟକା ଭିଳ ମିଳେଇ ଯାଇଛି । କିଏ ବିଜେଡି ବୈଠକକୁ ଆସୁନାହିଁ ତ କିଏ ଅସନ୍ତୋଷ ଝାଡି ଦଳ ଛାଡୁଛନ୍ତି । ଗୁରବାର ଦଳ ଛାଡିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଖାଲି ଦଳ ଛାଡିନାହାନ୍ତି ବିସ୍ଫୋରଣ ବି କରିଛନ୍ତି । କହିଛନ୍ତି, ଦଳରେ ନିର୍ବାଚନ ପରିଚାଳନା ଠିକ୍ ହୋଇନଥିଲା । ସଙ୍ଗଠନର ସୁଯୋଗ ମିଳିନଥିଲା ।  

ଖାଲି ପ୍ରକାଶ ନୁହେଁ ଅନେକ ହାରିଥିବା ନେତା ବିଜେଡି ଶିବିରରେ ଏତେ ସକ୍ରିୟ ନାହାନ୍ତି । ଚିରଞ୍ଜିବ ବିଶ୍ୱାଳ, ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି ଓ ଦିଲ୍ଲୀପ ନାୟକ ଭଳି ଦଳଡିଆଁ ନେତା  ବିଜେଡିରେ ଏବେ ଏତେ ସକ୍ରିୟ ନାହାନ୍ତି । ଆଗାମୀ ଦିନରେ ଏହି ଲିଷ୍ଟ ଲମ୍ବା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦଳ ହାରିବା ପରେ ବିଜେଡିର କିଏ ନା କିଏ ନେତା ଗଣମାଧ୍ୟମ ସାମ୍ନାକୁ ଆସି ଅସନ୍ତୋଷ ଝାଡୁଛନ୍ତି, ଯାହା ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଛି । ଅନେକ ଆଶା ନେଇ ଅନ୍ୟଦଳରୁ ଆସୁଥିବା ନେତାଙ୍କୁ ନବୀନ କିଭଳି ଆହୁରି ୫ ବର୍ଷ ଅଟକାଇବେ, ତାହା ଏବେ ବଡ ଚ୍ୟାଲେଞ୍ଜ ହୋଇଛି ।