କନକ ବ୍ୟୁରୋ : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ ନେଇ ଦ୍ବନ୍ଦ୍ବ ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ନାହିଁ ସ୍ପଷ୍ଟ ସୂଚନା । ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଥିଲେ ବିଜେଡ଼ି ସାଂସଦ ଦେବାଶିଷ ସାମନ୍ତରାୟ ଓ ସସ୍ମିତ ପାତ୍ର।ବିଭିନ୍ନ ରିପୋର୍ଟ ଆଧାରରେ ବ୍ୟକ୍ତିବିଶେଷ ଜଣାଉଛନ୍ତି କୃତଜ୍ଞତା ଓ ସ୍ବାଗତ। 

Advertisment

ଐତିହାସିକ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି । କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏ ସଂକ୍ରାନ୍ତରେ ଗୁରୁବାର ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି ବୋଲି ବିଭିନ୍ନ ଫୋରମ୍‌ରେ ଚର୍ଚ୍ଚା ସାମନାକୁ ଆସିବା ପରେ ଏହାକୁ ବିଭିନ୍ନ ବ୍ୟକ୍ତିବିଶେଷ ସ୍ବାଗତ କରିବା ସହିତ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଆରମ୍ଭ କରିଛନ୍ତି । କିନ୍ତୁ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଶେଖାୱତ ଯେଉଁ ଲିଖିତ ଉତ୍ତର ରଖିଛନ୍ତି, ସେଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ବା ଘୋଷଣା କରାଯାଇ ନାହିଁ । 

ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ସସ୍ମିତ ପାତ୍ରଙ୍କ ପକ୍ଷରୁ ରାଜ୍ୟସଭାରେ ଏ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ଦୁଇ ସାଂସଦଙ୍କ ପକ୍ଷରୁ ତିନିଟି ପ୍ରଶ୍ନ କରାଯାଇଥିଲା। ଐତିହାସିକ ଗୁରୁତ୍ବକୁ ନଜରରେ ରଖି ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ଉତ୍ସବ ମାନ୍ୟତା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି?  ଯଦି ସେଭଳି ପଦକ୍ଷେପ ନିଆଯାଇଛି ତେବେ କେଉଁ ଆଧାରରେ ଏବଂ କେଉଁ ସମୟସୀମା ଭିତରେ ଏହି ମାନ୍ୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି?  ଯଦି ସେଭଳି ପଦକ୍ଷେପ ନିଆଯାଇ ନାହିଁ ତେବେ ସରକାର ବାଲିଯାତ୍ରାକୁ ଭାରତୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଭାବେ ଗ୍ରହଣ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରଚାରପ୍ରସାର ଦିଗରେ ପଦକ୍ଷେପ ନେବେ କି? ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଉଲ୍ଲେଖ କରିଛନ୍ତି ଯେ ବାଲିଯାତ୍ରା ଓଡ଼ିଶା ଓ ଦକ୍ଷିଣପୂର୍ବ ଏସୀୟ ଦେଶ, ବିଶେଷ କରି ବାଲି ସହିତ ନୌବାଣିଜ୍ୟ ଓ ସାଂସ୍କୃତିକ ସଂପର୍କର ସ୍ମୃତି ଭାବେ ପାଳିତ ହୋଇ ଆସୁଛି। ଏହା ଦ୍ବାରା ଓଡ଼ିଆ ସଂସ୍କୃତିର ପୁନରୁଦ୍ଧାର ତଥା ବିକାଶ ସମ୍ଭବ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ଉତ୍ତରରେ ଦୁଇ ସାଂସଦଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ନଥିବା ବେଳେ ଜାତୀୟ ଉତ୍ସବ ମାନ୍ୟତା ପ୍ରସଙ୍ଗରେ ମଧ୍ୟ କୌଣସି ଉଲ୍ଲେଖ ନାହିଁ।