କନକ ବ୍ୟୁରୋ: ନେପାଳରେ ହିଂସାର ନିଆଁ ସାମାନ୍ୟ ଧୀମା ପଡ଼ିଥିବାବେଳେ ରାଜନୀତି କିନ୍ତୁ ଥମିନି । ୩ ଦିନ ଧରି ପୂରା ଦେଶ ଅଶାନ୍ତ ରହିବା ପରେ ପରିସ୍ଥିତିରେ ସ୍ଥିରାବସ୍ଥା ଆସିଛି ସତ କିନ୍ତୁ ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ତୁଟୁନି ବିବାଦ ।
ଗତ ୮ ତାରିଖରେ ଆନ୍ଦୋଳନକାରଙ୍କ ଉଗ୍ର ବିକ୍ଷୋଭ ପରେ ୮ ତାରିଖରେ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଛି । କିନ୍ତୁ କାହାକୁ ମଙ୍ଗ ଦିଆଯିବ ତା ଉପରେ କିଛି ନିଷ୍ପତ୍ତି ହୋଇପାରୁନି । ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ବ କିଏ ନେବ ତାହାକୁ ନେଇ ଜେନ୍ ଜେଡ୍ ନାମରେ ପରିଚିତ ଆନ୍ଦୋଳନକାରୀଙ୍କ ମଧ୍ୟରେ ସହମତି ହୋଇପାରିନାହିଁ। ସେମାନଙ୍କ ମଧ୍ୟରେ ମତଭେଦ ଭିତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି । ସେମାନେ ହେଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ ।
ଆନ୍ଦୋଳକାରୀମାନେ ପ୍ରଥମେ ବାଲେନ ଶାହଙ୍କ ନାଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ରାଜି ନହେବାରୁ ଜଷ୍ଟିସ୍ ସୁଶୀଳା କାର୍କିଙ୍କ ନାଁ ଉଠିଥିଲା । ଏହାକୁ ନେଇ ଏକପ୍ରକାର ସହମତି ହେବା ପରି ମନେହେଉଥିଲା । ସେ ମଧ୍ୟ ଏଥିପାଇଁ ରାଜି ହୋଇଥିଲେ । କିନ୍ତୁ ଆନ୍ଦୋନକାରୀଙ୍କ ଗୋଟିଏ ଗୋଷ୍ଠୀ ତାଙ୍କୁ ସମର୍ଥନ ଦେଇନଥିଲେ। ଏ ବୟସରେ ସୁଶୀଳା ଶାସନ ସମ୍ଭାଳିପାରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଥିଲେ । ତାଙ୍କ ବଦଳରେ ଯାହାଙ୍କ ନାଁ ଉଠିଥିଲା ସେମାନେ ହେଉଛନ୍ତି, ଇଞ୍ଜିନିୟର କୁଲମାନ୍ ଘିସିଂ । ସେ ନେପାଳ ବିଦ୍ୟୁତ୍ ବୋର୍ଡ ମହାନିର୍ଦ୍ଦେଶକ ଅଛନ୍ତି ।