କନକ ବ୍ୟୁରୋ :୨୦୧୬ରୁ ୨୦୨୪ ମଧ୍ୟରେ ପଞ୍ଚାୟତରେ କ'ଣ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୋଇଛି ତାହା ଜାଣିବା ପାଇଁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଥିଲେ କଟକ ଆଠଗଡ ବ୍ଲକ କଣ୍ଡରେଇ ପଞ୍ଚାୟତର ଜଣେ ବ୍ୟକ୍ତି। ଆରଟିଆଇ ତଥ୍ୟ ପାଇବା ପାରେ ସରପଞ୍ଚ ଏବଂ ବିଧାୟକଙ୍କ ବିରୋଧରେ ଆଣିଥିଲେ ପାଣ୍ଠି ଆତ୍ମସାତ ଅଭିଯୋଗ। ସେପଟେ ଏହାକୁ ନେଇ ସରପଞ୍ଚ ବ୍ଲକ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଜଣାପଡିଲା ସେ ତଥ୍ୟ ଭୁଲ ବୋଲି। ଏଭଳି ଭୁଲ ତଥ୍ୟ ପ୍ରଦାନ କରିଥିବା ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି।
କଣ୍ଡରେଇ ପଞ୍ଚାୟତର ମାଣିତ୍ରୀ ଗାଁରେ କବର ସ୍ଥାନ ନିର୍ମାଣ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୭ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ୮ଗୁଣ୍ଠ ୨ଡିସିମିଲି ଜାଗାରେ ପାଚେରି ନିର୍ମାଣ ହୋଇଛି। କିନ୍ତୁ ଆରଟିଆଇ ତଥ୍ୟରେ ୨ ଥରରେ ୧୪ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଉଲ୍ଲେଖ ରହିଛି। ଜାଣିଶୁଣି ଭୂଲ ତଥ୍ୟ ପ୍ରଦାନ କରି ଲୋକଙ୍କୁ ଭ୍ରମିତ କରିବା ସହ ସରପଞ୍ଚ ଏବଂ ସ୍ଥାନୀୟ ବିଧାୟକଙ୍କୁ ଅପମାନିତ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।
୨୦୧୬ରୁ ଆଜି ପର୍ଯ୍ୟନ୍ତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ଏବେ ମଧ୍ୟ ଅନେକ ପ୍ରକଳ୍ପ ଚାଲୁ ରହିଛି। କିନ୍ତୁ ଆରଟିଆଇ ରିପୋର୍ଟରେ, ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଯାଇଛି। ଏହାକୁ ନେଇ ଗାଁରେ ବିବାଦ ମୁଣ୍ଡ ଟେକିବା ପରେ ସଫେଇ ଦେଇଛି ବ୍ଲକ ପ୍ରଶାସନ। କବର ସ୍ଥାନକୁ ନେଇ ଆରଟିଆଇ ମାଧ୍ୟମରେ ଦିଆଯାଇଥିବା ପ୍ରଥମ ତଥ୍ୟ ଭୁଲ ବୋଲି ଚିଠି କରାଯାଇଛି। ଭୁଲ ତଥ୍ୟ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ କହିଛନ୍ତି।
ବ୍ଲକର ଭୁଲ ତଥ୍ୟ ପାଇଁ ଗାଁରେ ବିବାଦର ମୁଣ୍ଡ ଟେକିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଧିରେଧିରେ ଅସନ୍ତୋଷର ନିଆଁ ଜଳୁଛି। ବ୍ଲକ ପ୍ରଶାସନ ପକ୍ଷରୁ ଯଦି କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗକୁ ଏହା ବଡ ବିବାଦ ସୃଷ୍ଟି ହୋଇପାରେ।