କନକ ବ୍ୟୁରୋ: ରାୟଗଡା ପରେ ବାଲେଶ୍ବର ବିଜେଡିରେ ଭୟଙ୍କର ସ୍ଥିତି ଦେଖାଦେଇଛି । ଦଳୀୟ ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ କନ୍ଦଳକୁ ଆହୁରି ବଢାଇଛି । ସିମୁଳିଆର ଦୁଇ ନେତା ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସୁଭାସିନୀ ସାହୁ ମୁହାଁମୁହିଁ ହୋଇଛନ୍ତି ।
ବାଲେଶ୍ୱରରେ ଏଯାଏଁ ବିଜେଡି ଜିଲ୍ଲା ସଭାପତି ନିଯୁକ୍ତି କରିପାରିନି । ଏହାରି ଭିତରେ ନେତା-ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦଳକୁ ଅଡୁଆରେ ପକାଇଛି । ଜିଲ୍ଲାରେ ଦୁଇ ନେତା ଜ୍ୟୋତି ପାଣିଗ୍ରାହୀ ଓ ଶଶୀ ସାହୁ ମୁହାଁମୁହିଁ ହୋଇଛନ୍ତି । ଦୁଇ ଦିନ ତଳେ ଜ୍ୟୋତି ପାଣିଗ୍ରାହୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଶଶୀ ସାହୁ । ଜ୍ୟୋତି ବିଜେପି ସହ ସମ୍ପର୍କ ରଖିଛନ୍ତି ଓ ଦଳୀୟ କାର୍ଯ୍ୟକ୍ରମରେ ଅସହଯୋଗ କରୁଥିବା ଅଭିଯୋଗ ଆଣିଥିଲେ ଶଶୀ । ଆଉ ଆଜି ଏହାର କଡା ଜବାବ ରଖିଛନ୍ତି ଜ୍ୟୋତି ପାଣିଗ୍ରାହୀ । ଜ୍ୟୋତି କହିଛନ୍ତି, ପଦପଦବି ପାଇଲେ ସେବା କରିବି ନ ପାଇଲେ କରିବିନି ସେମିତି ଦାବି କରିବା କାପୁରୁଷର ଲକ୍ଷଣ ।
ସିମୁଳିଆରେ ୨୦୧୪ ଓ ୨୦୧୯ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡି ଟିକେଟ ପାଇଁ ବିଧାୟକ ହୋଇଥିଲେ । ହେଲେ ୨୦୨୪ରେ ଜ୍ୟୋତିଙ୍କୁ କାଟି ସୁଭାଷିନୀ ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା । କିନ୍ତୁ ସେ ହାରିଯାଇଥିଲେ । ଏବେ ସିମୁଳିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଇରାକୁ ଏନଏସି ମାନ୍ୟତା ଦାବି ଜୋର ଧରିଥିଲାବେଳେ ତେଜିଛି ବୟାନବାଜି। ଜ୍ୟୋତିଙ୍କ ସହ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ସୁଭାଷିନୀଙ୍କୁ ଟାର୍ଗେଟ କରିଛନ୍ତି । ଜବାବରେ ବର୍ଷିଛନ୍ତି ସୁଭାସିନୀ ।