କନକ ବ୍ୟୁରୋ : ଗୋଟିଏ ପ୍ରକଳ୍ପକୁ ନେଇ ୪ ରାଜ୍ୟରେ ମଧ୍ୟରେ ତୁ ତୁ ମେଁ ମେଁ । ଏଭଳି ସ୍ଥିତିରେ ଆଲୋଚନା ପରେ ଯେଉଁ ନିଷ୍କର୍ସ ବାହାରିବ ସେଥିରେ କେଉଁ ରାଜ୍ୟ ପାଇବ ନ୍ୟାୟ । କାରଣ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଫୋକସକୁ ଗଲା ବିବାଦୀୟ ପୋଲାଭରମ । ଓଡ଼ିଶା ପାଇଁ କ'ଣ ବିକଳ୍ପ ଚିନ୍ତା କରିଛନ୍ତି ମୋଦୀ ।
ପୋଲାଭରମକୁ ପ୍ରଥମେ ଜାତୀୟ ପ୍ରକଳ୍ପ ମାନ୍ୟତା ଓ ପରେ ସ୍ୱତନ୍ତ୍ର ଅନୁଦାନ ଦେଲେ କେନ୍ଦ୍ର ସରକାର । କୋର୍ଟରେ ମାମଲା ସତ୍ତ୍ୱେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ଦୀର୍ଘବର୍ଷ ହେବ ଲଢୁଛି ନ୍ୟାୟର ଲଢେଇ । ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହେବେ । ଘର ଠାରୁ ଚାଷ ଜମି ସବୁ ବୁଡ଼ିବ । ଦୀର୍ଘବର୍ଷର ଏହି ସମସ୍ୟାର ସମାଧାନ ପାଇଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ଆଲୋଚନା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
୨୮ରେ ପୋଲାଭରମକୁ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଆଲୋଚନା । ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବିଶେଷ କ୍ଷତି ହେବନି, ତାହାର ଗ୍ୟାରେଣ୍ଟି ଦେବେ ତ ମୋଦୀ ? ଜାତୀୟ ଗଣମାଧ୍ୟମର ଏ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନେଇ ଖବର ନାହିଁ । ଅଫିସରସ୍ତରରେ ହୋଇପାରେ ଆଲୋଚନା ।
ପୋଲାଭରମକୁ ନେଇ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଦ୍ୱାରା ଦାଖଲ ଆବେଦନ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶା ନ୍ୟାୟ ପାଇବ ତ ? ଆଇନମନ୍ତ୍ରୀ କହିଛନ୍ତି, ଆଲୋଚନା ହେଲେ ସବୁପ୍ରକାର ଯୁକ୍ତି ଉପସ୍ଥାପନ କରିବ ଓଡ଼ିଶା । ଶେଷ ପର୍ଯ୍ୟାୟରେ ପ୍ରକଳ୍ପ ପହଞ୍ଚିଥିବା ବେଳେ ଓଡ଼ିଶା କିଭଳି ନ୍ୟାୟ ପାଇବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
୨ ଦଶନ୍ଧି ଧରି ବିବାଦୀୟ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ରାଜନୀତିରେ ପଶାପାଲିରେ ପେଶି ହୋଇଛି ପୋଲାଭରମ । ପୂର୍ବ ସରକାରଙ୍କ ଉଦାସୀନତା ପାଇଁ ପୋଲାଭରମକୁ ମିଳିନଥିଲା ନ୍ୟାୟ । ଏବେ ଡବଲ ଇଞ୍ଜିନ ସରକାର ପୋଲାଭରମକୁ ନ୍ୟାୟ ଦେଇପାରିବ କି ନାହିଁ ତାହା ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ?