କନକ ବ୍ୟୁରୋ : ମୃତ୍ୟୁ ଆଖି ସାମ୍ନାରେ ମାଡ଼ି ଆସୁଛି ହେଲେ ବି ଭିଟାମାଟିକୁ ଜାବୁଡ଼ି ଧରି ଜୀବନକୁ ବଞ୍ଚାଇବା ପାଇଁ ପ୍ରତିମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି ବିସ୍ଥାପିତ । ଏଦୁଃଖ ହେଉଛି ଏମ୍ସିଏଲ ଗର୍ଜନବାହାଲ ଖଣି ଅଞ୍ଚଳ କରଲିକଚ୍ଛାର ଗାଁର । ଆଉ ୧୦ ମିଟର ବାକି ରହିଛି ଗାଁ ଭିତରକୁ ଚାଲିଆସିବ କୋଇଲା ଖଣି । ବ୍ଲାଷ୍ଟିଂରେ ପଥର ଖଣ୍ଡ ଆସି ଘର ଛପର କଣା କରିସାରିଲାଣି । ହେଲେ ଥଇଥାନ ଓ ପୁନର୍ବାସର ବ୍ୟବସ୍ଥା ନହେବାରୁ ଗାଁରେ ପଡ଼ିରହିଛନ୍ତି ୧୬୦ ରୁ ଊର୍ଦ୍ଧ୍ୱ ପରିବାର ।
ଆଉ ମାତ୍ର କେଇ ପାଦ ଦୂର, ଦେଖିଲେ ଦିଶୁଛି ମୃତ୍ୟୁର ଖାଇ । ଅପେକ୍ଷା ତ ଦୂରର କଥା, ଆଶଙ୍କା ରହିଛି କେଉଁ ବି ମୁହୂର୍ତ୍ତରେ ଆଖି ପାଉନଥିବା ଖଣିର ଗଭୀର ଖାଲକୁ ଖସିପଡ଼ିବ ସମ୍ପୂର୍ଣ୍ଣ ଗାଁ । ପ୍ରତିଦିନ ପ୍ରତି ରାତି ଭୟରେ ବିତୁଛି, କେତେବେଳେ ଛାତ ଉପରେ ବଡ଼ ବଡ଼ ପଥର ଖସୁଛି ତ ଆଉ କେତେବେଳେ ପଥର ମାଡ଼ରେ ଘରର ଆସବାବପତ୍ର ଭାଙ୍ଗୁଛି । ଆତଙ୍କରେ ଥରୁଛି ସୁନ୍ଦରଗଡ଼ ଏମସିଏଲ ଗର୍ଜନବାହାଲ ଖୋଲାମୁହଁ କୋଇଲା ଖଣିର ବିସ୍ଥାପିତ ଗାଁ କରଲିକଚ୍ଛାର । ୨୦୧୦ ମସିହାରୁ ଜମି ଅଧିଗ୍ରହଣ କରିସାରିଛି ଏମ୍ସିଏଲ୍, ଲୋକଙ୍କୁ ଅନ୍ୟତ୍ର ଜମି ଓ ଘର ନିର୍ମାଣ ପାଇଁ ଟଙ୍କା ବି ମିଳିସାରିଛି । ହେଲେ ପୁନର୍ବାସ ଓ ଥଇଥାନ ହୋଇନଥିବାରୁ ଭିଟାମାଟି ଛାଡ଼ିଯିବାକୁ ନାରାଜ ୧୬୫ରୁ ଊର୍ଦ୍ଧ୍ୱ ପରିବାର ।
ଘଟଣାକୁ ନେଇ ଏମ୍ସିଏଲ୍ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିବା ବେଳେ ଜିଲ୍ଲା ପ୍ରଶାସନ କହିଛି ୧୫୧ଟି ପରିବାରର ଅଭିଯୋଗ ମଧ୍ୟରୁ ୧୧୬ଟିକୁ ଚୟନ କରାଯାଇଛି । ସେମାନଙ୍କୁ ଅତିଶୀଘ୍ର ପୁନର୍ବାସ ଓ ଥଇଥାନର ସୁବିଧା ପ୍ରଦାନ କରାଯିବ । ଲୋକଙ୍କୁ ଅସୁବିଧା ନହେଲା ଭଳି ଖଣି କର୍ତ୍ତୃପକ୍ଷ କିପରି କାର୍ଯ୍ୟ କରିବେ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯିବ ବୋଲି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଲୋକଙ୍କୁ ଉପଯୁକ୍ତ ଭାବେ ଥଇଥାନ ନକରି କିଭଳି ଗାଁ ପାଖରେ ଚାଲିଛି ଖଣି ଉତ୍ତୋଳନ ? ଜନବସତି ରହି କିଭଳି ବିନା ସୂଚନା କି ବିନା ସାଇରନ୍ରେ ବିସ୍ଫୋରଣ ଚଳାଇଛି ଏମ୍ସିଏଲ୍ ? ଜମି ଅଧିଗ୍ରହଣରୁ ଥଇଥାନକୁ କାହିଁକି ବିତିଲାଣି ୧୫ ବର୍ଷ ?