କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ଦିଶାଙ୍କ ବାପା ସତୀଶ ସାଲିୟାନ ଏବେ ବମ୍ବେ ହାଇକୋର୍ଟରେ ପହଂଚିଛନ୍ତି । ସେ ଦାବି କରିଛନ୍ତି କି, ପୁଣିଥରେ ତାଙ୍କ ଝିଅ ହତ୍ୟା ମାମଲାର ତଦନ୍ତ ହେଉ । ଏହାସହ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । 

Advertisment

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ସାଲିୟାନଙ୍କ ପିତା ଅଭିଯୋଗ କରିଛନ୍ତି କି, ଦିଶାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଓ ପରେ ହତ୍ୟା କରାଯାଇଥିଲା । ସେ ଦାବି କରିଛନ୍ତି କି, ଏହି ହତ୍ୟା ପଛରେ ଅନେକ ପ୍ରଭାବଶାଳୀ ଲୋକଙ୍କର ହାତ ରହିଛି । ସେମାନଙ୍କୁ ସୁରକ୍ଷା ଦେବାକୁ ଏହି ମାମଲାକୁ ରାଜନୈତିକ ରୂପ ଦେଇ ଷଡଯନ୍ତ୍ର କରାଯାଇଛି । ଏଣୁ ଏହି ମାମଲାର ତଦନ୍ତ ସିବିଆଇ ହାତକୁ ଦେବାକୁ ସେ ଦାବି କରିଛନ୍ତି । 

ସେପଟେ ଦିଶାଙ୍କ ପିତାଙ୍କ ଅଭିଯୋଗ ଉପରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି କି, ଏହା ହତ୍ୟା ନୁହେଁ ବରଂ ଦୁର୍ଘଟଣା ଥିଲା । ୫ ବର୍ଷ ପରେ ଯଦି ଅଭିଯୋଗ କରାଯାଉଛି ତେବେ ଏହି ଅଭିଯୋଗ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଭଳି ଲାଗୁଛି । ଯେଉଁ ଗୋଷ୍ଠୀ ଔରଙ୍ଗଜେବଙ୍କ କବର ଖୋଳିବାକୁ ଚାହୁଁଥିଲେ, ଏବେ ଔରଙ୍ଗଜେବ ସେମାନଙ୍କ କାନ୍ଧ ଉପରେ ବସିପଡିଛନ୍ତି । ତେଣୁ ଔରଙ୍ଗଜେବ ପ୍ରସଙ୍ଗରୁ ମୁକୁଳିବାକୁ ଗୋଟିଏ ଗୋଷ୍ଠୀ ଦିଶା ମୃତ୍ୟୁର ସାହାରା ନେବାକୁ ଚେଷ୍ଟା କରୁଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନା ରାଜ୍ୟବାସୀଙ୍କ ମୌଳିକ ଅଧିକାର ପ୍ରସଙ୍ଗରେ ସରକାରକୁ ଘେରୁଛି । ଏହି କାରଣରୁ ଉଦ୍ଧବ ଠାକରେଙ୍କୁ ବଦନାମ କରିବାକୁ ରାଜ୍ୟ ସରକାର ଏଭଳି ପ୍ରୟାସ କରୁଛନ୍ତି । 

ସୂଚନା ଥାଉ କି, ୨୦୨୦ ଜୁନ ୮ ତାରିଖରେ ଏକ କୋଠାର ୧୪ ତାଲାରୁ ଖସିପଡି ଦିଶା ସାଲିୟାନଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଆଧାରରେ ମାମଲା ରୁଜୁ କରିଥିଲା । ଦିଶା ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଥିଲେ । ଦିଶାଙ୍କ ମୃତ୍ୟୁର ୧୪ ଦିନ ପରେ ସୁଶାନ୍ତ ସିଂଙ୍କ ମୃତଦେହ ତାଙ୍କ ଆପର୍ଟମେଣ୍ଟରୁ ମିଳିଥିଲା ।