କନକ ବ୍ୟୁରୋ: ସମସ୍ୟା ଚାଷୀଙ୍କ ପିଛା ଛାଡୁନି । କେତେବେଳେ ଗଜା ମରୁଡି ତ ଆଉ କେତେବେଳେ ରୋଗ ପୋକ ଜନିତ ସମସ୍ୟା । ଚାଷୀଙ୍କ ନିଦ ହଜି ଯାଇଛି । ବିଳମ୍ବିତ ବର୍ଷା ଯୋଗୁଁ ଏବର୍ଷ ବିଳମ୍ବରେ ଚାଷ କରିଛି ଚାଷୀ । ଧାନ ଗଛରୁ କେଣ୍ଡା ବାହାରୁଥିବା ବେଳେ ଏବେ ରୋଗପୋକ ଦାଉ ସାଧୁଛି । ଧାନ ଗଛ ଲାଲ ହୋଇଗଲାଣି । ସମ୍ବଲପୁର କୁଚିଣ୍ଡାର ବକ୍‌ସମା ପଞ୍ଚାୟତର ଚାଷୀଙ୍କ ଆଶା ମଉଳି ଯାଉଛି । 

Advertisment

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଛନ୍ତି ଚାଷୀ । ସ୍ୱାଭାବିକଠାରୁ କମ୍‌ ବର୍ଷାର ଯୋଗୁଁ ବିଳମ୍ବରେ ଧାନ ଚାଷ କରିଛନ୍ତି । ଏବେ ଧାନ କେଣ୍ଡା ଧରିବା ସମୟରେ ରୋଗପୋକ ଦାଉ ସାଧୁଛି । କୁଚିଣ୍ଡା ବକ୍ସମା ପଞ୍ଚାୟତର ଏକର ଏକର ଜମିରେ ଧାନ ଗଛ ସବୁ ପାଚି ଲାଲ ହୋଇଯାଉଛି । ଯେତେ ଔଷଧ ପକାଇଲେ ବି କାମ କରୁନି ! ଛୋଟଛୋଟ ପୋକ ପତ୍ର ଏବଂ ଗଛ ଖାଇ ଯାଉଛନ୍ତି । ଗଛ ନବଢ଼ି ଲାଲ ହୋଇଯାଉଛି । 
 
ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ କୁଚିଣ୍ଡା କୃଷି ଜିଲ୍ଲା ଅଧିକାରୀ କହିଛନ୍ତି, ଟିମ୍ ପଠାଇ କ୍ଷେତ୍ର ପରିଦର୍ଶନ କରିବେ । ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରି ଚାଷୀଙ୍କୁ ଉପଯୁକ୍ତ ଔଷଧ ପ୍ରୟୋଗ ପାଇଁ ପରାମର୍ଶ କରାଯିବ । ଏବେ ରୋଗ ଆରମ୍ଭ ହେଉଛି, ଚିନ୍ତା କରିବାର କୌଣସି କାରଣ ନାହିଁ ।ଏବେଠାରୁ କୃଷି ବିଭାଗ ଯତ୍ନବାନ ହୋଇ ରୋଗପୋକ ପ୍ରାଦୁର୍ଭାବକୁ ରୋକି ପାରିଲେ ଚାଷୀର ଫସଲ ଉଜୁଡିବାରୁ ବଞ୍ଚିଯିବ ।