କନକ ବ୍ୟୁରୋ : ଗୋଟେ ପଟେ ଆଲୋଚନା ଅନ୍ୟପଟେ ଏୟାର ଷ୍ଟ୍ରାଇକ୍‌ । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଗାଜାରେ ୨୪ ଘଣ୍ଟାରେ ୮୪ ଜଣ ଫିଲିସ୍ତାନୀଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ଅନେକ ଶିଶୁ ଓ ମହିଳା ଅଛନ୍ତି । ଉତ୍ତର ଗାଜାର ଜାବାଲିଆ ଶରଣାର୍ଥୀ ଶିବିର ଏବଂ ଖାନ୍‌ ଯୁନିସର ଇଉରୋପୀୟ ହସ୍ପିଟାଲ ଉପରେ ଆକ୍ରମଣରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଗାଜାର ସିଭିଲ ଡିଫେନ୍ସ ଏଜେନ୍ସି କହିଛି, ହସ୍ପିଟାଲ ଅଞ୍ଚଳରେ ଶବ ଛିନ୍ନଭିନ୍ନ ହୋଇ ପଡ଼ିଛି । ଏହି ଆକ୍ରମଣ ମଧ୍ୟରେ କତାରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଜାରି ରହିଛି । ସୂଚନା ଅନୁସାରେ, ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧବିରତି ହେଲେ ମଧ୍ୟ ଗାଜାରେ ସାମରିକ ଅଭିଯାନ ବନ୍ଦ କରିବେ ନାହିଁ ବୋଲି କହିଛନ୍ତି । 

Advertisment

ଅନ୍ୟପକ୍ଷରେ, ହମାସ ଇସ୍ରାଏଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଓ ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାଇଛି । ମାର୍ଚ୍ଚ ୨ରୁ ଇସ୍ରାଏଲର ସମ୍ପୂର୍ଣ୍ଣ ଅବରୋଧ ଯୋଗୁଁ ଗାଜାରେ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ହମାସ ସୋମବାର ଆମେରିକା-ଇସ୍ରାଏଲୀ ବନ୍ଦୀ ଏଡାନଙ୍କୁ ମୁକ୍ତ କରିଛି, ଯାହା ଆଲୋଚନାରେ ଏକ ପଦକ୍ଷେପ ବୋଲି ବିବେଚିତ ହୋଇଛି ।