କନକ ବ୍ୟୁରୋ: ସାଂପ୍ରତିକ ସ୍ଥିତିରେ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ବଳ । ଆଜି ଏ ନେଇ ସମ୍ବାଦ ଏବଂ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ବାର୍ଷିକ ବିତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଏଭଳି ମତ ରଖିଛନ୍ତି ରାଜ୍ୟର ୪ ବରିଷ୍ଠ ନେତା । ଆଞ୍ଚଳିକ ଦଳର ପ୍ରସାଙ୍ଗିକତା ଉପରେ କହି ୨୦୨୬ ଚର୍ଚ୍ଚାର ବର୍ଷ ହେବାକୁ ଯାଉଛି ବୋଲି କହିଛନ୍ତି । 

Advertisment

୨୦୨୪ ନିର୍ବାଚନ ପରେ ବଦଳିଛି ରାଜ୍ୟ ରାଜନୀତରି ଦୃଶ୍ୟପଟ୍ଟ ।  ବିଜେଡି ଶିବିରରେ କିଛି ଠିକଠାକ ଚାଲିନାହିଁ । କଂଗ୍ରେସର ସାଙ୍ଗଠନକି ସ୍ଥିତି ସଜାଡି ହୋଇନି। ଏଭଳି ସ୍ଥିତିରେ ନୂଆ ଆଞ୍ଚଳିକ ଦଳ ଗଠନ କଥା ଉଠିଲାଣି ।  ଏ ନେଇ ବିଚାରବିମର୍ଷ ଆରମ୍ଭ ହୋଇଥିବା କୁହାଯାଉଛି । ଆଜି ସାମ୍ପ୍ରତିକ ପରିସ୍ଥିତିରେ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ଜ୍ୱଳ , ଏଭଳି ଏକ ବିତର୍କର ଶୀର୍ଷକକୁ ନେଇ ସମ୍ବାଦ ଏବଂ କନକ ନ୍ୟୁଜ ତରଫରୁ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା । ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ଅମର ଶତପଥୀ ଓ  ଦେବୀମିଶ୍ର ଏକାଠି ହୋଇ ନିଜ ମତ ରଖିଛନ୍ତି । ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ବିଜେଡିକୁ ତୀର ମାରିଛନ୍ତି । କହିଛନ୍ତି, ଆଞ୍ଚଳିକ ଦଳ ସାଲିସ୍ କରିବା ଉଚିତ ନୁହେଁ, ଲୋକଙ୍କ ସ୍ବର ହେବା ଉଚିତ  । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ  ଅଛି । ୨୦୨୬ ମସିହା ଚର୍ଚ୍ଚାର ବର୍ଷ ହେବ ।  

ବରିଷ୍ଠ ନେତା ଦେବୀମିଶ୍ର ଓ ପଞ୍ଚାୟନନ କାନୁନଗୋ ନିଜର ମତ ରଖିଛନ୍ତି । ଦେବୀ ମିଶ୍ର କହିଛନ୍ତି, ଦେଶର ଦୁଇ ପ୍ରମୁଖ ମେଣ୍ଟ ଆଞ୍ଚଳିକ ଦଳ ଉପରେ ନିର୍ଭରଶୀଳ ଅଛନ୍ତି । ଆଞ୍ଚଳିକ ଦଳ ସଶକ୍ତ ହେଲେ ଭାରତ ସଶକ୍ତ ହେବ । ଜାତୀୟ ସ୍ତରରେ ପ୍ରତିନିଧିତ୍ବ ବଢ଼ିଲେ  ଅଞ୍ଚଳର ବିକାଶ ସମ୍ଭବ । ସେହିଭଳି ବରିଷ୍ଠ  କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି,  ଭାରତରେ ମେଣ୍ଟ ଶାସନ ହିଁ ଏକମାତ୍ର ବିକଳ୍ପ । ଆଞ୍ଚଳିକ  ଓ ଜାତୀୟ ଦଳର ଆବଶ୍ୟକତା ରହିଛି । ଏହି ଚାରି ନେତା ରାଜ୍ୟ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି । ତେଣୁ ଏମାନଙ୍କର ମତ ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି  ।