କନକ ବ୍ୟୁରୋ: ମା' ଶାରଳାଙ୍କ ପୀଠରେ ଜଗନ୍ନାଥଙ୍କ ୨୪ ବେଶ । ଦର୍ଶନ କରି ଶ୍ରଦ୍ଧାଳୁ ଭାବ ବିହ୍ୱଳ । ମା' ପାଖରେ ବସି ବିଶ୍ୱନିୟନ୍ତାଙ୍କ କଥା ଶ୍ରବଣ କରିବା ଭାଗ୍ୟରେ ଥିଲେ ମିଳେ । ଆଉ ଯେବେବେଳେ ଘର ପାଖରେ ଏ ସୁଯୋଗ ମିଳୁଛି, ତାକୁ କିଏ ବା କେମିତି ହାତ ଛଡ଼ା କରିବେ । ଜଗତସିଂହପୁର ଝଙ୍କଡ଼ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଜଗନ୍ନାଥ ମହୋତ୍ସବ ।
ମାର୍ଚ୍ଚ ୫ତାରିଖ ଠାରୁ ଆରମ୍ଭ ହୋଇଥିବା ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ ସାଧୁସନ୍ଥଙ୍କ ସମ୍ମିଳନୀ, ପ୍ରବଚନ ଶୁଣି କୃତାର୍ଥ ହୋଇଛନ୍ତି ସ୍ରୋତା । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମୁଖ୍ୟ ପୁରୋଧା ଭାବେ ସେ ମାଆ ଶାରଳାଙ୍କ ଆରତୀ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆରତୀ କରିଥିଲେ । ପରେ ମହୋତ୍ସବ ମଞ୍ଚରେ ପୁରୀର ଶ୍ରୀ ରାଧା ବଲ୍ଳବ ମଠ ମହନ୍ତ, ସନ୍ଥ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଏବଂ ଶ୍ରୀ ଗଜପତି ମହାରାଜ ଆଶ୍ରିବଚନ ପ୍ରଦାନ କରିଥିଲେ । ଉତ୍ସବ ସ୍ଥଳରେ ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୨୪ବେଶ ଓ ୫୬ଭୋଗକୁ ହଜାର ହଜାର ଭକ୍ତ ଦର୍ଶନ କରିବା ସହିତ ମହାପ୍ରଭୁଙ୍କ ପ୍ରିୟ ଗୀତ ଗୋବିନ୍ଦ ଧ୍ୱନୀରେ ଭାବ ବିହ୍ଵଳ ହୋଇଥିଲେ ।