କନକ ବ୍ୟୁରୋ: ରଜ ସରିଲା ପରେ ଏବେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୮ ତାରିଖ ପରିବର୍ତ୍ତେ  ୨୦ ତାରିଖରେ ଖୋଲିବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଡାଇରିଆରେ ସାରା ରାଜ୍ୟ ଆକ୍ତାମାକ୍ତା ହେଉଥିବା ଭିତରେ ସ୍କୁଲ ଖୋଲିବ । ଶିଶୁବାଟିକାରୁ ଆରମ୍ଭ କରି ଦ୍ବାଦଶ ଯାଏଁ ପ୍ରାୟ ୫୦ ଲକ୍ଷ ପିଲା ସ୍କୁଲ ଯିବେ । ତେଣୁ ଡାଇରିଆ ଓ ହଇଜା ବ୍ୟାପୁଥିବାବେଳେ ସ୍କୁଲଗୁଡ଼ିକରେ କେତେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।

Advertisment
  • ଗୋଟିଏ ପଟେ ହଇଜା, ଅନ୍ୟପଟେ ଖୋଲିବ ସ୍କୁଲ
  • ମୁକୁଳା ପଡ଼ିଛି ସ୍କୁଲ ପରିସର, କେତେ ନିରାପଦ ପିଲା ?

ଉଦାହରଣ ଭାବେ, କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ପ୍ରାଥମିକ ସ୍କୁଲକୁ ନିଆଯାଉ । ଏଠାରେ ସ୍କୁଲ ପରିସର ପରିତ୍ୟକ୍ତ । ୩ଟି ପାଣି ଟାଙ୍କି କେବେଠାରୁ ସଫା ହୋଇନି । ଦୁଇଟି ନଳକୂଅରୁ ଗୋଟିଏ ଖରାପ । ୬ଟି ପାଇଖାନା ପରିତ୍ୟକ୍ତ ଅବସ୍ଥାରେ ଅଛି । ପାଣି ବିଶୋଧନ ହୋଇନି । ତେଣୁ ସ୍କୁଲ ଖୋଲିଲେ କେଉଁ ପାଣିରେ ମଧ୍ୟାହ୍ନ ଭୋଜନ ହେବ ଓ ପିଲା କିଭଳି ପାଣି ପିଇବେ ତାହା ଚିନ୍ତାଜନକ ବିଷୟ । ସେହିପରି ଯାଜପୁରର ସ୍ଥିତି ନ କହିବା ଭଲ । ପ୍ରାୟ ସମସ୍ତ ସ୍କୁଲରେ ନଳକୂପ ରହିଥିଲେ ବି ସୁରକ୍ଷିତ ହୋଇନଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି । ପିଲାଙ୍କୁ କେମିତି ସ୍କୁଲ ପଠାଇବେ ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି । 

ଏପଟେ ଯାଜପୁର ସମେତ ୯ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ । ଏଭଳି ସ୍ଥିତିରେ ସ୍କୁଲ ଖୋଲିଲେ ପିଲାଙ୍କ ନିରାପତ୍ତା ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ସ୍କୁଲକୁ ଯାଉଛନ୍ତି ରାଜ୍ୟର ପ୍ରାୟ ୬୦ଲକ୍ଷରୁ ଅଧିକ ପିଲା । ତେଣୁ ପ୍ରଶ୍ନ ଉଠୁଛି, ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କି ବ୍ୟବସ୍ଥା ହୋଇଛି? ମଧ୍ୟାହ୍ନ ଭୋଜନ ନେଇ କ’ଣ ରହିଛି ମାନଦଣ୍ଡ?