କନକ ବ୍ୟୁରୋ: ସାରା ରାଜ୍ୟରେ ଧୁମଧାମରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା କଲେ । ହେଲେ ଏହାରି ଭିତରେ ଅନେକ ଅଞ୍ଚଳକୁ ଏନ୍‌ଏସିରୁ ବାଦ ଦିଆଯାଇଥିବାରୁ ତାତିଛନ୍ତି ଲୋକେ। ଯେଉଁଥିପାଇଁ ଅନେକ ସ୍ଥାନରେ ବିଭିନ୍ନ ଦଳ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଚନ୍ଦନେଶ୍ବରଙ୍କୁ ଏନ୍ଏସି ଘୋଷଣା ନେଇ ଦାବି ହୋଇଆସୁଥିଲା । ହେଲେ ଏନ୍‌ଏସି ତାଲିକାରେ ନିଜ ଅଞ୍ଚଳ ନାଁ ନଥିବା ଜାଣିବା ପରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀରେ ବି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇ ବ୍ଲକ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେହିପରି କାକଟପୁର ବାଦ ପଡ଼ିବାକୁ ନେଇ କାକଟପୁରରେ ରାଜନୀତି ଜୋର ଧରିଛି । ବିଗତ ବିଜେଡି ସରକାର କାକଟପୁରକୁ ନୂଆ ଏନ୍‌ଏସି କରିବାପାଇଁ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ। ଏବେ ଏଥିରୁ ବାଦ ପଡ଼ିବାରୁ ତାତିଛନ୍ତି କାକଟପୁର ବାସିନ୍ଦା ।  

Advertisment

ଏନ୍‌ଏସିକୁ ନେଇ ପୁରୀ ଜିଲ୍ଲା ସତ୍ୟବାଦୀରେ ବିଜେଡିର ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ଲକ ଅଧ୍ୟକ୍ଷ । ସତ୍ୟବାଦୀ ଏନ୍‌ଏସି ତାଲିକାରୁ ବାଦ ପଡ଼ିବାକୁ ନେଇ ବିଭିନ୍ନ ସଂଗଠନ ତରଫରୁ ପ୍ରତିବାଦ କରାଯାଉଛି । ବିଜେଡି ତରଫରୁ ବ୍ଲକରେ ବ୍ଲକ ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଏହାକୁ ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି ଅଧ୍ୟକ୍ଷ । ସେହିପରି ସତ୍ୟବାଦୀ ସ୍ୱାଭିମାନ ମଞ୍ଚ ମଧ୍ୟ ଏକ ଅଭିଯୋଗ ପତ୍ର ତହସିଲଦାରଙ୍କ ନିକଟରେ ପ୍ରଦାନ କରିଛି । ଏ ଦିଗରେ ସଠିକ ବିଚାର କରାନଗଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ବିଜେଡି ସମେତ ଅନେକ ସଂଗଠନ ।