କନକ ବ୍ୟୁରୋ: ପୁରାତନ ପାହାଡ଼ରେ ପଥର ଖାଦାନକୁ ନେଇ ଗଞ୍ଜାମ ଜିଲ୍ଲା ପୋଲସରା ତହସିଲ ଅଧୀନ ଢୁଙ୍କାପଡ଼ା ଗାଁରେ ତେଜିଲାଣି ଅସନ୍ତୋଷ । ଗ୍ରାମବାସୀଙ୍କ ସହ ମିଶି ଲଢ଼େଇ ଜାରି ରଖିଛନ୍ତି ପୂର୍ବତନ ସରପଞ୍ଚ ଆରତି ଦେବୀ । ପୋଲସରା ବ୍ଲକ ଢୁଙ୍କାପଡ଼ାବାସୀଙ୍କ ଆଧ୍ୟାତ୍ମିକ ବିଶ୍ୱାସ ସହିତ ଜଡ଼ିତ ଦହିମୁଣ୍ଡିଆ ପାହାଡ଼ । ବିଶେଷ କରି ଚାଷୀଙ୍କ ପାଇଁ ସାଜିଛି ଦେବତା ସଦୃଶ୍ୟ । ବିଶ୍ୱାସ ରହିଛି ଏହି ପାହାଡ଼ରେ ପୂଜାର୍ଚ୍ଚନା କଲେ ବର୍ଷା ହୋଇଥାଏ । ବର୍ଷବର୍ଷ ଧରି ଗ୍ରାମବାସୀ ପାହାଡ଼କୁ ପୂଜାର୍ଚ୍ଚନା କରି ଆସୁଛନ୍ତି । ଏହି ପାହାଡ଼ ଉପରେ ପଡ଼ିଛି ପଥର ମାଫିଆଙ୍କ ନଜର । ପୂର୍ବରୁ ସରକାର ଏହି ପାହାଡ଼ ଲିଜ୍ ଦେବା ସତ୍ତ୍ବେ କେହି ପଥର ଖଣ୍ଡିଏ ନେବା ପାଇଁ ସାହସ କରୁନଥିଲେ। ରାଜ୍ୟରେ ସରକାର ବଦଳିବା ପରଠୁ ପାହାଡ଼ରୁ ପଥର କଟା ଆରମ୍ଭ କରିଛି ଏମ୍. ଏମ୍. ଅନ୍ନପୂର୍ଣ୍ଣା ନାମକ ସଂସ୍ଥା । ଅନ୍ୟପଟେ ସରକାରଙ୍କ ସବୁ ନିୟମକୁ ମାନି ପଥର କଟା ଯାଉଛି । କିଛି ଲୋକ ରାଜନୈତିକ ଆକ୍ରୋଶ ରଖି ବିରୋଧ କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ପାହାଡ଼ରୁ ପଥର କଟାକୁ ଗ୍ରାମବାସୀ ଗ୍ରହଣ କରୁନଥିବା ବେଳେ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରଶାସନ ସମାଧାନ ଲାଗି ପଦକ୍ଷେପ ନେବାକୁ ଦାବି ହେଉଛି। ପୂର୍ବତନ ସରପଞ୍ଚ ଆରତି ଦେବୀ ଏଥିପାଇଁ ଲଢ଼େଇ ଜାରି ରଖିଛନ୍ତି । ପାହାଡ଼ କଟାକୁ ବିରୋଧ କରି ଆସୁଛନ୍ତି । ଗାଁରୁ ଆରମ୍ଭ କରିଥିବା ଲଢ଼େଇ ରାଜଧାନୀ ଯାଏଁ ଆସିଛି। ପାହାଡ଼ରେ ବେଆଇନ ପଥର ଖନନ, ବିସ୍ଫୋରଣ ବନ୍ଦ ଓ ବିଭିନ୍ନ ଦାବିରେ ଆରତୀ ଦେବୀ ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଲଣ୍ଡା ହୋଇଯିବ ଦହିମୁଣ୍ଡିଆ ପାହାଡ଼!
ପୋଲସରା ଦହିମୁଣ୍ଡିଆ ପାହାଡ଼ ଉପରେ ମାଫିଆଙ୍କ ଆଖି
ଢୁଙ୍କାପଡ଼ାବାସୀଙ୍କ ଆଧ୍ୟାତ୍ମିକ ବିଶ୍ୱାସ ସହିତ ଏହି ପାହାଡ଼ ଜଡ଼ିତ
ପାହାଡ଼ରେ ପୂଜାର୍ଚ୍ଚନା କଲେ ବର୍ଷା ହୁଏ
ସେହି ପାହାଡ଼ରୁ ବେଆଇନ ପଥର କଟା ଚାଲିଛି
କିଛି ମାସ ହେବ ବଡ଼ବଡ଼ ମେସିନ ଲଗାଇ ପଥର କାଟି ନିଆଯାଉଛି
ବିନା ଗ୍ରାମସଭା ଓ ବିନା ଫଳକରେ ପଥର କଟା ଅଭିଯୋଗ
ବେଆଇନ କାରବାରକୁ ଗ୍ରାମବାସୀଙ୍କ ବିରୋଧ
କିଛି ବର୍ଷରେ ପାହାଡ଼ ଲଣ୍ଡା ହୋଇଯିବା ଆଶଙ୍କା
ବାସ ହରାଇବେ ପାହାଡ଼ରେ ରହୁଥିବା ପଶୁପକ୍ଷୀ
ମନ୍ତ୍ରୀ, ସାଂସଦ ଓ ଜିଲ୍ଲାପାଳଙ୍କୁ ଲୋକ ଜଣାଇଛନ୍ତି ଦାବି
ଆସନ୍ତାକାଲିଠୁ ପୂର୍ବତନ ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ
ପୂର୍ବତନ ସରପଞ୍ଚ ଆରତି ଦେବୀ