କନକ ବ୍ୟୁରୋ: ମନ୍ତରାଜ, ଗୟାର ଦିବ୍ୟାଙ୍ଗ ଛାତ୍ର । ଦାରିଦ୍ର୍ୟ ଓ ନିଜର ଆଖି ସମସ୍ୟା ଥାଇ ବି ଆଇଆଇଟିରେ ଐତିହାସିକ ସଫଳତା ପାଇଛନ୍ତି । ତାଙ୍କର ସଂଘର୍ଷ କାହାଣୀ ଏବେ ସାରା ଯୁବ ସମାଜ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି  । 

Advertisment

ବିହାରର ଗୟା ଜିଲ୍ଲାର ମନ୍ତରାଜ , ଶାରୀରିକ ଭାବେ ଦିବ୍ୟାଙ୍ଗ । ମନ୍ତରାଜ ଆଂଶିକ ଦୃଷ୍ଟିହୀନ । ଏହା ସତ୍ତ୍ବେ ସେ ଜେଇଇ ଆଡଭାନ୍ସରେ ଓବିସି ପିଡବ୍ଲ୍ୟୁଡି କାଟାଗରି ସର୍ବଭାରତୀୟ ସ୍ତରରେ ୮୧ ତମ ରାଙ୍କ ହାସଲ କରି ଐତିହାସିକ ସଫଳତା ହାସଲ କରିଛନ୍ତି । ମନ୍ତରାଜଙ୍କ ବାପା , ମା’ ସୁରଟର ସୂତା ମିଲରେ ଶ୍ରମିକ ଭାବେ କାମ କରନ୍ତି । ଘରର ଆର୍ଥିକ ଅବସ୍ଥା ଖରାପ । ତଥାପି ପୁଅର ପାଠପଢ଼ାରେ କେବେ ଖିଲାପ କରିନାହାନ୍ତି । ମନ୍ତରାଜ ମାନପୁର ପଲିଟେକ୍ନିକ୍ ସ୍କୁଲରେ ହାଇସ୍କୁଲ ପଢ଼ା ଶେଷ କରିବା ପରେ ବ୍ରିଟିସ୍ ଇଂଲିସ୍ ସ୍କୁଲରେ ଇଣ୍ଟର୍ ଶେଷ କଲେ । ଏହାପରେ ପଟୱା ଟୋଲିର ଏକ କୋଚିଙ୍ଗ ସେଣ୍ଟରରେ ଆଇଆଇଟି ପାଇଁ କୋଚିଙ୍ଗ ନେଲେ । ସେଠିକାର ଶିକ୍ଷକ ମନ୍ତରାଜଙ୍କ ଉତ୍ସାହ ଦେଖି ତାଙ୍କୁ ଯଥାସାଧ୍ୟ ସହଯୋଗ କରିଥିଲେ । 

ଶିକ୍ଷକଙ୍କ ସହଯୋଗରେ ମନ୍ତରାଜ ଦୈନକ ୬ରୁ ୭ ଘଣ୍ଟା ପଢ଼ୁଥିଲେ । ଆଂଶିକ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କୁ ପ୍ରବେଶିକା ପରୀକ୍ଷାରେ ଅଧିକ ୧ଘଣ୍ଟା ସମୟ ଦିଆଯାଇଥିଲା । ପିଲାବେଳୁ ମନ୍ତରାଜଙ୍କ ଆଖିର ସମସ୍ୟା ଥିଲା ଯାହା ଧୀରେ ଧୀରେ ବଢ଼ିବାରେ ଲାଗିଲା । ହେଲେ ନିଜକୁ କେବେ ଅସହାୟ ଭାବିନଥିଲେ ମନ୍ତରାଜ । ବରଂ ପିଲାବେଳୁ ଜଣେ ଇଞ୍ଜିନିୟର ହେବାକୁ ଇଚ୍ଛା ରଖୁଥିବା ମନ୍ତରାଜ ନିଜ ଇଚ୍ଛାକୁ ପୂରଣ କରିବାକୁ ଆଗେଇଲେ  । ପଢ଼ା ଶେଷ ପରେ ଜଣେ ଦକ୍ଷ ଇଞ୍ଜିନିୟର ହେବେ ବୋଲି ତାଙ୍କର ଇଚ୍ଛାରେ ତାଙ୍କ ବାପା, ମା’ , ବନ୍ଧୁବାନ୍ଧବ ସମସ୍ତେ ଖୁସି । ପରିବାରର ଦୂରାବସ୍ଥା ସହ , ଶାରୀରିକ ଦିବ୍ୟାଙ୍ଗ ମନ୍ତରାଜଙ୍କ ଇଚ୍ଛା ଆଗରେ ହାର ମାନିଛି । ଆଜି ମନ୍ତରାଜ ପୂରା ଯୁବ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ।