କନକ ବ୍ୟୁରୋ: ମଧୁବାବୁ ପେନସନ ଏବଂ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ବର୍ଦ୍ଧିତ ରାଶି ଏବେ ନାମକୁମାତ୍ର ହୋଇ ରହିଛି ।  ଯୋଜନା ଅଛି ହେଲେ ହିତାଧିକାରୀଙ୍କୁ ଭତ୍ତା ମିଳୁନି । ଯୋଜନା ଅନୁସାରେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଉତ୍ତା ୩୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ୫ ମାସ ବିତିଥିଲେ ବି ସରକାରଙ୍କ ଏହି ଯୋଜନାରୁ ଅନେକ ବଞ୍ଚିତ । 

Advertisment

ଆନନ୍ଦପୁରର ଉପଖଣ୍ଡ ସୋସୋ ପଞ୍ଚାୟତ ବେରୁଣପଦି ଗ୍ରାମର ଭିନ୍ନକ୍ଷମ ଖଗେଶ୍ୱର ଜେନା । ଦିବ୍ୟାଙ୍ଗ ଯୁବକ । ଆଖିରେ ସିନା ଜ୍ୟୋତି ନାହିଁ କିନ୍ତୁ ନିଜ ଜୀବନକୁ ଆଲୋକିତ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଭୁବନେଶ୍ୱରରେ ପାଠ ପଢୁଛନ୍ତି । ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ସରକାରଙ୍କ ବର୍ଦ୍ଧିତ ୩୫ଶହ ଟଙ୍କା ଭତ୍ତା ମିଳୁନାହିଁ । ନିଜ ଅଧିକାର ପାଇଁ ବାରମ୍ବାର ସରକାରୀ ବାବୁଙ୍କୁ ଜଣାଇଛନ୍ତି, ହେଲେ ଖଗେଶ୍ୱରଙ୍କ ଭଳି ବାବୁମାନଙ୍କୁ ବି କିଛି ଦେଖା ଯାଉନି ।

ଖଗେଶ୍ୱରଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ମଧୁବାବୁ ପେନସନ୍‌ ଯୋଜନାରୁ ବଞ୍ଚିତ ଅଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ୨୦୩୮, ୮୦ ବର୍ଷରୁ ଅଧିକ ଓ ଭିନ୍ନକ୍ଷମ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଯୋଗ୍ୟ । ବର୍ତ୍ତମାନ ସୁଦ୍ଧା ୧୨୦୪ଜଣ ବର୍ଦ୍ଧିତ ଭତ୍ତା ପାଉଛନ୍ତି । ଆଉ ୮୩୪ ହିତାଧିକାରୀ ହକ୍‌ରୁ ବଞ୍ଚିତ ଅଛନ୍ତି । ଏନେଇ ତାଲିକା ଜିଲ୍ଲା କାର୍ଯ୍ୟାଳୟକୁ ଯାଇଛି, ଯାଞ୍ଚ ହୋଇ ଆସିବା ପରେ ଦିଆଯିବ ବୋଲି କହିଛନ୍ତି ବ୍ଲକ କର୍ତ୍ତୃପକ୍ଷ । ମଧୁବାବୁ ପେନସନ ଯୋଜନାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ବର୍ଦ୍ଧିତ ଭତ୍ତା ଦେବାକୁ ଦାବି ହୋଇଛି ।