କନକ ବ୍ୟୁରୋ: ଅକ୍ଷମ ହୋଇବି ସେ ସକ୍ଷମ। ରୋଜଗାର ପାଇଁ ପ୍ରତିବନ୍ଧକ ସାଜିପାରିନି ଶାରୀରିକ ଅକ୍ଷମତା। ଦିବ୍ୟାଙ୍ଗ ହୋଇ ମଧ୍ୟ ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଇଁ ସେ ହୋଇଛନ୍ତି ସ୍ବାବଲମ୍ବୀ। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ।
ଗୁଡ଼ାରୀ ବ୍ଲକ ସାନ ରାଇଝୁଲା ଗ୍ରାମର ନକୁଳ ସାରକା। ପରିବାର କହିଲେ ମାଆ ଓ ତିନି ଭାଇ। ଦିନ ମଜୁରୀଆ ଭାବେ କାମ କରୁଥିବା ବେଳେ ନକୁଳ କିନ୍ତୁ ନିଜେ ରୋଜଗାରକ୍ଷମ ପାଲଟିଛନ୍ତି । ବାହାରେ ରହି ହୋଟେଲରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ ନକୁଳ। ହେଲେ ଅଜଣା ରୋଗରେ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନକୁଳ । ହେଲେ କାହା ଆଗରେ ହାତ ପାତି ନାହାନ୍ତି କି ପରିବାରର ପାଇଁ .ବୋଝ ପାଲଟି ନାହାନ୍ତି । ଅଜଣା ରୋଗରେ ଦୁଇ ଗୋଡ଼ ଅକାମି ହୋଇଗଲା। ହେଲେ ସମ୍ମାନର ସହ ବଂଚିବାକୁ ଗାଁ ମୁଣ୍ଡ ଝୁପୁଡି ଘରେ ଆରମ୍ଭ କରିଛନ୍ତି ବ୍ୟବସାୟ । ପକୁଡ଼ିରୁ ନେଇ ଆଳୁଚପ ଇତ୍ୟାଦି ବିକ୍ରି କରି ଦିନକୁ ୩୦୦ ରୁ ୪୦୦ ଟଙ୍କା ଲାଭ କରୁଛନ୍ତି। ଘରୁ ଦୋକାନକୁ ଚାଲିକି ଯିବାକୁ ଅସୁବିଧା ହେବାରୁ ନିଜ ପଇସାରେ ଦୋକାନ ଘର କରି ସେଥିରେ ଆଶ୍ରୟ ନେଉଛନ୍ତି ନକୁଳ ।
ଇ - ରିକ୍ସା ଏବଂ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନକୁଳ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଅପରପକ୍ଷେ ନକୁଳଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ସେପଟେ ଖୁବଶୀଘ୍ର ନକୁଳଙ୍କୁ ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୁଡ଼ାରୀ ଗୋଷ୍ଠୀ ଉନୟନ ଅଧିକାରୀ ।
ଦିବ୍ୟାଙ୍ଗ ଯୁବକଙ୍କ ଏହି ସଂଘର୍ଷମୟ କାହାଣୀ କାମ ଧନ୍ଦା ନକରୁଥିବା ବେକାର ଯୁବକ ଯୁବତୀଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ । ତେଣୁ ଖୁଶୀଘ୍ର ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ସେ ଉପକୃତ ହୋଇପାରିବେ ।