କନକ ବ୍ୟୁରୋ: ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ 'ଦ ବେଙ୍ଗଲ ଫାଇଲ୍ସ' ରିଲିଜ୍ ହେବା ପୂର୍ବରୁ ହିଁ ବିବାଦ ଘେରକୁ ଆସିଯାଇଛି । ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି । ଫିଲ୍ମର କାହାଣୀ ୧୯୪୬ ମସିହାରେ ଭାରତ-ପାକିସ୍ତାନ ବିଭାଜନ ସମୟର ଦଙ୍ଗା ଉପରେ ଆଧାରିତ । ଏହି ଫିଲ୍ମରେ ୧୯୪୬ ମସିହାର ଦଙ୍ଗାକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରସିଦ୍ଧ ବଙ୍ଗୀୟ ଯୋଦ୍ଧା ଗୋପାଳ ମୁଖାର୍ଜୀଙ୍କ ଚରିତ୍ରକୁ ନେଇ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଗୋପାଳ ମୁଖାର୍ଜୀଙ୍କ ନାତି ଶାନ୍ତନୁ ମୁଖାର୍ଜୀ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।  

କ'ଣ ରହିଛି ବିବାଦ?

Advertisment

ଫିଲ୍ମର ଟ୍ରେଲରରେ ଗୋପାଳ ମୁଖାର୍ଜୀଙ୍କୁ 'ଏକ୍‌ ଥା କସାଇ ଗୋପାଳ ପାଠା' ଭାବରେ ଦର୍ଶାଯାଇଛି । ଶାନ୍ତନୁଙ୍କ ଅଭିଯୋଗ ଅନୁଯାୟୀ, ଏହା ତାଙ୍କ ଜେଜେବାପାଙ୍କ ଚରିତ୍ରର ଏକ ଭୁଲ୍ ଚିତ୍ରଣ । ଶାନ୍ତନୁ ଦାବି କରିଛନ୍ତି ଯେ ତାଙ୍କ ଜେଜେବାପା ପେସାରେ ଜଣେ କଂସେଇ ନଥିଲେ, ବରଂ ଜଣେ ପହିଲମାନ ଏବଂ ଅନୁଶୀଳନ ସମିତିର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ୧୯୪୬ ମସିହାରେ ମୁସଲିମ୍ ଲିଗ୍ ଦଙ୍ଗାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଶାନ୍ତନୁଙ୍କ ଅଭିଯୋଗ:

ଶାନ୍ତନୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଏକ କୋର୍ଟ ନୋଟିସ୍ ପଠାଇଛନ୍ତି, ଯେଉଁଥିରେ ତାଙ୍କ ଜେଜେବାପାଙ୍କ ଚରିତ୍ରକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଥିବାରୁ କ୍ଷମା ମାଗିବାକୁ ଦାବି କରାଯାଇଛି । ସେ କହିଛନ୍ତି ଯେ ଫିଲ୍ମରେ ଏହି ଚିତ୍ରଣ କେବଳ ଭୁଲ୍ ନୁହେଁ, ବରଂ ଏହା ତାଙ୍କ ପରିବାର ଏବଂ ସମ୍ପ୍ରଦାୟ ପାଇଁ ମଧ୍ୟ ଆଘାତଦାୟକ ।

ଶାନ୍ତନୁ ଆହୁରି ମଧ୍ୟ ଦାବି କରିଛନ୍ତି, 'ମୋର ଜେଜେବାପାଙ୍କୁ କଂସେଇ ଏବଂ ପାଠା (ଛେଳି) ବୋଲି କୁହାଯାଇଛି, ଯାହା ଅପମାନଜନକ । ମୁଁ ଭାବୁଛି ବିବେକ ଅଗ୍ନିହୋତ୍ରୀ ଏହା ଉପରେ ଅଧିକ ଗବେଷଣା କରିବା ଉଚିତ୍ । ସେ ଏହି ଭୁଲ୍ ତଥ୍ୟ କେଉଁଠୁ ପାଇଲେ? ସେ ଆମ ସହିତ ଯୋଗାଯୋଗ ମଧ୍ୟ କରିନାହାନ୍ତି । ତେଣୁ ଆମେ ଏହାର ବିରୋଧ କରୁଛୁ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ଜେଜେବାପା ସ୍ୱାଧୀନତା ଆନ୍ଦୋଳନର ମଧ୍ୟ ଏକ ଅଂଶ ଥିଲେ । ତାଙ୍କର ବିଚାରଧାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ମେଳ ଖାଉଥିଲା । ସେ ଅନେକ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହ କାମ କରିଥିଲେ । କେହି କିପରି କହିପାରିବେ ଯେ ସେ ଜଣେ କଂସେଇ ବା ପାଠା ଥିଲେ ?'

ଫିଲ୍ମର କାହାଣୀ ଏବଂ ରିଲିଜ୍ ତାରିଖ:

ଫିଲ୍ମ 'ଦ ବେଙ୍ଗଲ ଫାଇଲ୍ସ'ର ଟ୍ରେଲରରେ ହିନ୍ଦୁ-ମୁସଲିମ୍ ଦଙ୍ଗାକୁ ଦର୍ଶାଯାଇଛି । ଏହା ସେହି ସମୟର କାହାଣୀ ଯେତେବେଳେ ଦେଶରେ ଗାନ୍ଧୀ ଏବଂ ଜିନ୍ନାଙ୍କ ମଧ୍ୟରେ ବେଙ୍ଗଲକୁ ନେଇ ବିବାଦ ଲାଗି ରହିଥିଲା । ଜିନ୍ନା ବେଙ୍ଗଲର ଏକ ଅଂଶ ଚାହୁଥିଲେ, ଯାହାର ଗାନ୍ଧୀ ବିରୋଧ କରୁଥିଲେ । ଏହି ପରିପ୍ରେକ୍ଷୀରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର ୫ରେ ମୁକ୍ତିଲାଭ କରିବ ।