କନକ ବ୍ୟୁରୋ: ଭାରତ-କାନାଡା ସରକାର ମଧ୍ୟରେ ବଢିଲା ବିବାଦ । କାନାଡାର ଅବସ୍ଥାପିତ ଭାରତୀୟ ହାଇକମିଶନର ଫେରାଇ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କାନାଡା ସରକାର ରବିବାର କହିଥିଲେ, ଖଲିସ୍ତାନୀ ଲିଡର ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ହାଇକମିଶନ ଏବଂ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ସନ୍ଦେହ ରହିଛି । କାନାଡା ସରକାର ଏହି ହତ୍ୟା ଘଟଣାରେ ଭାରତୀୟ ହାଇକମିଶନ ଏବଂ କୂଟନୀତିଜ୍ଞଙ୍କୁ ଦାୟୀ କରୁଛି । ହେଲେ ଭାରତ ସରକାର ସୋମବାର କାନାଡାକୁ କଡ଼ା ଜବାବ ଦେଇଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଟ୍ରୁଡୋ ସରକାର ବିନା କୌଣସି ପ୍ରମାଣରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରାଜନୈତିକ ଏଜେଣ୍ଡା ଚଲାଇବା ପାଇଁ ଏହିପରି ଭିତ୍ତିହୀନ ଅଭିଯୋଗ ଆଣି ଭାରତର ଛବି ଖରାପ କରିବା ପାଇଁ ଉଦ୍ୟମ କରୁଛନ୍ତି । ଭାରତ ସରକାର କହିଛନ୍ତି ଯେ ଟ୍ରୁଡୋ ସରକାରଙ୍କ ଏହି ଏଜେଣ୍ଡା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରେରିତ ଅଟେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ୨୦୨୩ ସେପ୍ଟେମ୍ୱରରେ ଟ୍ରୁଡୋଙ୍କ ଦ୍ୱାରା ଭିତ୍ତିହୀନ ଅଭିଯୋଗ କରାଯିବା ପରଠୁ କାନାଡା ସରକାର ଗୋଟିଏ ବି ପ୍ରମାଣ ଦେଇ ନାହିଁ । ଅନ୍ୟପଟେ ଭାରତ ସରକାର ଅନେକ ଥର ଏହି ମାମଲାରେ ପ୍ରମାଣ ମାଗି ସାରିଛି । ଏମ୍ଇଏ ସନ୍ଦେହ ପ୍ରକାଶ କରିଛି ଯେ ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ ଜରିଆରେ ଭାରତର ଛବିକୁ ଖରାପ କରି ରାଜନୈତିକ ଲାଭ ହସାଲ ପାଇଁ ଉଦ୍ୟମ କରାଯାଉଛି ।
ଗତବର୍ଷ ଖଲିସ୍ତାନ ଟାଇଗର ଫୋର୍ସର ନେତା ତଥା କୁଖ୍ୟାତ ଖଲିସ୍ତାନୀ ଉଗ୍ରବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଗତ ଜୁନ ୧୮ ତାରିଖରେ କାନାଡାରେ ହତ୍ୟା କରାଯାଇଥିଲା ।ଏହାକୁ ନେଇ କାନାଡାରେ ବିଦ୍ରୋହ ଦେଖିବାକୁ ମିଳିଥିଲା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହତ୍ୟା ଘଟଣାକୁ ନେଇ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଖଲିସ୍ତାନୀ ସମର୍ଥକ ହରଦୀପ ସିଂଙ୍କୁ ନିଜ ଦେଶର ନାଗରିକ ବୋଲି ସମ୍ବୋଧନ କରି ତାର ହତ୍ୟାକାଣ୍ଡ ଲାଗି ଭାରତ ସରକାରଙ୍କ ଏଜେଣ୍ଟକୁ ଦାୟୀ କରିଥିଲେ । ଭାରତରେ ଘୃଣା ତଥା ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରୁଥିବା ଖଲିସ୍ତାନୀଙ୍କ ଟିପ୍ପଣୀକୁ ମଧ୍ୟ ଟ୍ରୁଡୋ ସମର୍ଥନ କରିଥିଲେ । ଏଥିଲାଗି ଭାରତ ସରକାର ତଦନ୍ତରେ ସହଯୋଗ କରିବାକୁ ମଧ୍ୟ ଅପିଲ୍ କରିଥିଲେ । ହେଲେ ସବୁଠୁ ଖାସ କଥା ହେଉଛି ଭାରତ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ ସୁଦ୍ଧା ତଥ୍ୟ ପ୍ରମାଣ ଦେଇପାରିନଥିଲା କାନାଡା । ସେପଟେ ପଳାତକ ନିଜ୍ଜର ବିରୋଧରେ ଭାରତରେ ଏକ ଡଜନ୍ରୁ ଅଧିକ ହତ୍ୟା ଏବଂ ଆତଙ୍କବାଦ ମାମଲା ରହିଛି । ସେ ଏକ ନକଲି ପାସପୋର୍ଟରେ କାନାଡା ଯାଇଥିଲା ଏବଂ ୨୦୧୪ ପରଠାରୁ ଇଣ୍ଟରପୋଲ ରେଡ ନୋଟିସରେ ରହିଥିଲା । ଭାରତ ହରଦୀପ ସିଂର ଅପରାଧିକ କାର୍ଯ୍ୟକଳାପର ତଥ୍ୟ କାନାଡାକୁ ଦେଇଥିବା ବେଳେ ତାକୁ ଗିରଫ କରିବାକୁ ଦାବି ମଧ୍ୟ କରିଥିଲା । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କାନାଡା ସରକାର ।