କନକ ବ୍ୟୁରୋ: ମାଲକାନଗିରିରେ ଜିପଥେରିଆ ଆତଙ୍କ । ଆବାସିକ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ପରେ ଚେତିଛି ସ୍ୱାସ୍ଥ୍ୟ ବିଭାଗ । ରୋଗର କାରଣ ଖୋଜା ଚାଲିଥିବା ବେଳେ ନିରାକରଣ ପ୍ରକ୍ରିୟା ଚାଲିଛି । ଆକ୍ରାନ୍ତ ଛାତ୍ରଙ୍କୁ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଲକ୍ଷଣ ଥିବା ପିଲାଙ୍କୁ ନୀରିକ୍ଷଣରେ ରଖାଯାଇଛି । ପିଲାଙ୍କୁ ଡିପଥେରିଆ ରୋଗ ନିରାକରଣ ଲାଗି ଟିକାକରଣ ବ୍ୟବସ୍ଥା ରହିଛି । ତେବେ ଆଦିବାସୀ ବହୁଳ ଇଲାକାରେ ସବୁ ପିଲାଙ୍କ ଟିକାକରଣ କରାଯାଇଛି କି ନାହିଁ । ଅନୁଧ୍ୟାନ କରିଛନ୍ତି ରାଜ୍ୟ ତଥା ୟୁନିସେଫର ଟିକାକରଣ ଅଧିକାରୀ । 

Advertisment

 
ସରକାରୀ ଭାବେ ଡିପଥେରିଆରେ ଚିତ୍ରାଙ୍ଗପାଲିଆ ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡକାମୀ ମୃତ୍ୟୁ ଘଟିଛି । କିନ୍ତୁ ଗତ ଏକ ସପ୍ତାହରେ ଇତାଲଗୁଡା, ଡୁଡିମେଟଲା ଓ ଚିତ୍ରାଙ୍ଗପାଲି ଗାଁରେ ୩ ଜଣ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି । ୮ ଜଣ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଚିତ୍ରାଙ୍ଗପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀରିକ୍ଷଣ ରଖାଯାଇଛି । ମୃତ ଛାତ୍ର ଶିବୁ ଡିପଥେରିଆ ଟିକା ନେଇନଥିବା ବେଳେ ସମଗ୍ର ଅଞ୍ଚଳରେ ଅନେକ ପିଲା ଏହି ଟିକା ନେଇନଥିବା ଚିନ୍ତା ବଢ଼ାଇ ଦେଇଛି।

  • ଟୀକା ପାଉନାହାନ୍ତି ଆଦିବାସୀ ପିଲା !
  • ଟୀକାକରଣ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଡିପଥେରିଆରୁ ସୁରକ୍ଷା ପାଇଁ ନବଜାତ ଶିଶୁଙ୍କୁ ଦେଢ ମାସରେ, ଅଢେଇ ଓ ସାଢେ ତିନି ମାସରେ ଡିପିଟି ଟିକା ଦେବାର ବ୍ୟବସ୍ଥା ରହିଛି । ଏହାସହ ବିଦ୍ୟାଳୟରେ ୫ବର୍ଷରେ ଥରେ ଡିପିଟି, ୧୦ ବର୍ଷରେ ଓ ୧୬ ବର୍ଷରେ ଥରେ ଟିଟାନସ ଡିପଥେରିଆ ଟୀକା ଦିଆଯାଏ । ତେବେ ଆଦିବାସୀ ଅଂଚଳରେ ଏଥିରେ ବ୍ୟାପକ ବ୍ୟତିକ୍ରମ ଯୋଗୁଁ ଡିପଥେରିଆ ଆତଙ୍କ ଖେଳି ଯାଇଛି । ରାଜ୍ୟ ଟିକାକରଣ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଓଡିଶା ଡିପଥେରିଆ ମୁକ୍ତ ରାଜ୍ୟ ଭାବେ ପରିଗଣିତ କରାଯାଉଛି। କିନ୍ତୁ ରାୟଗଡା ମୁନୁସପଦରରେ  ୬ ଶିଶୁଙ୍କ ମୃତ୍ୟୁ ପରେ ପରେ ମାଲାକନଗିରିରେ ଡିପଥେରିଆ ରୋଗୀଙ୍କ ମୃତ୍ୟୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି।