କନକ ବ୍ୟୁରୋ: ପାଠ ପଢ଼ିବା ପରେ ସମସ୍ତେ ସ୍ବାବଲମ୍ବୀ ହେବାକୁ ଇଚ୍ଛା କରନ୍ତି । ଅନ୍ୟପାଖରେ କାମ କରିବା ଅପେକ୍ଷା ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ପସନ୍ଦ କରନ୍ତି । ଆଉ ଚାଷ ବୋଧେ ଏମିତି ଏକ ଉପାୟ, ଯାହାଦ୍ବାରା ଜଣଙ୍କୁ ରୋଜଗାର ଦେବା ସହ ମାଲିକ କରିଦିଏ । ଆଖପାଖ ଅଞ୍ଚଳରେ ଥିବା ବେକାର ଲୋକଙ୍କୁ କର୍ମ ନିଯୁକ୍ତି ମଳିଯାଏ । ସେହିଭଳି ଜଣେ ଯୁବଚାଷୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ସୀମାପଲ୍ଲୀର ଦୀନବନ୍ଧୁ କରଡ଼ା । ସେ ତାଙ୍କ ପଡ଼ିଆ ପଡ଼ିଥିବା ଜମିରେ ମକା, ଭେଣ୍ଡି, କଲରା, ବାଇଗଣ, ଝୁଡ଼ଙ୍ଗ, କାକୁଡ଼ି, ଟମାଟୋ, ପୋଟଳ ଆଦି ଚାଷ କରି ଭଲ ରୋଜଗାର କରୁଛନ୍ତି ।
ଦୀନବନ୍ଧୁ ଏହି ଜମିରେ ଦିନରାତି ଲାଗିଛନ୍ତି । ଫଳାଇଛନ୍ତି ସୁନାର ଫସଲ। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଏକ ଫସଲୀ ଧାନଚାଷ ହୋଇଥାଏ । ସେଭଳି କିଛି ବଡ଼ ଜଳସ୍ରୋତ ନଥିବାରୁ ଗୋଟିଏ ଫସଲ ଉପରେ ଚାଷୀ ନିର୍ଭର କରନ୍ତି । ନହେଲେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼େ। ହେଲେ ବର୍ତ୍ତମାନର ଯୁବକମାନେ ଆଉ ଦାଦନମୁହାଁ ହେଉନାହାନ୍ତି । ଧାନ ପରେ ଏବେ ପଡ଼ିଆ ଜମିରେ ପରିବା ଫସଲ କରୁଛନ୍ତି । ନିକଟରେ ଥିବା ନାଳରୁ ଜମିରେ ପାଣି ମଡ଼ାଇ ଚାଷରୁ ଲାଭବାନ ହେଉଛନ୍ତି । ୩୦ ହଜାରରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି । ପ୍ରତିଦିନ ଅମଳ ହେଉଥିବା ପରିବା ନିକଟସ୍ଥ ବଜାରରେ ବିକ୍ରି ହୋଇଥାଏ। ବେପାରୀମାନେ ମଧ୍ୟ ଜମି ନିକଟକୁ ଆସି କିଣି ନେଉଛନ୍ତି । ଭଲ ରୋଜଗାର କରୁଛନ୍ତି ଦୀନବନ୍ଧୁ ।