କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭେଟିଛନ୍ତି । ଏହି ଅବସରରେ ଦିଲ୍ଲୀପ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ୩ଟି ମୁଖ୍ୟ  ପ୍ରସଙ୍ଗ ଉଠାଇଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି । ଦିଲ୍ଲୀପ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତି କରି ଏକ ଚିଠିରେ ଦାବି ଉଲ୍ଲେଖ କରିଛନ୍ତି । ଏଥି ସହିତ ସେ ତାଙ୍କର ଦାବି ପୂରା ହେବ ବୋଲି ଆଶା ପ୍ରକଟ କରିଛନ୍ତି ।

୩ ବଡ ଦାବି-:

Advertisment

ରାଉରକେଲାରେ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା : ପୂର୍ବତଟ ରେଳପଥ ଅଧୀନ ରାଉରକେଲା ଓ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ରାଉରକେଲାରେ ଏକ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା ହେଲେ ମଧ୍ୟ ଭିତ୍ତିଭୂମି ଓ ଯାତ୍ରୀ ସେବା କ୍ଷେତ୍ରରେ ଏହି ଅଞ୍ଚଳ ଅବହେଳିତ ରହିଛି । ଓଡ଼ିଶାର ଖଣିଜ କ୍ଷେତ୍ରପାଇଁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ଗଠନ, ଉନ୍ନତ ପ୍ରଶାସନ, ଉନ୍ନତ ଯୋଗାଯୋଗ ଏବଂ ସନ୍ତୁଳିତ ବିକାଶ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ: ସେଲ୍ ଅଧୀନ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ କାମ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଛି । ଫଳରେ ୩୦ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ଯୋଜନା ଅଟକି ରହିଛି । ଏହି ସମସ୍ୟାର ସମାଧାନର ଆବଶ୍ୟକତା ଉପରେ ଆଲୋଚନା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ଦିଲ୍ଲୀପ ମୋଦୀଙ୍କୁ ଅନୁରୋଧ କରିଛନ୍ତି । 

ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଓ ସମ୍ପ୍ରସାରଣ: ରାଉରକେଲା ବିମାନବନ୍ଦରର ଉନ୍ନତିକରଣ ଓ ସମ୍ପ୍ରସାରଣ ପ୍ରତି ମଧ୍ୟ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଦିଲ୍ଲୀପ ।  ଏକ ପ୍ରମୁଖ ଶିଳ୍ପ, ଶିକ୍ଷାଗତ ଓ କ୍ରୀଡ଼ା ସହର ହୋଇଥିଲେ ମଧ୍ୟ ରାଉରକେଲାରେ ଏବେ ବି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ନାହିଁ । ବିମାନ ବନ୍ଦରକୁ ୪ସି ବର୍ଗରେ ପରିଣତ କରିବା, ରନ୍ ୱେକୁ ସମ୍ପ୍ରସାରଣ କରିବା, ନାଇଟ୍ ଲ୍ୟାଣ୍ଡିଂ ସୁବିଧା ସ୍ଥାପନ କରିବା ଏବଂ ବିଶ୍ୱସନୀୟ ବିମାନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ଅଧିକ ବିମାନ ଅପରେଟରଙ୍କୁ ଆଣିବାର ଆବଶ୍ୟକତା ଉପରେ ମଧ୍ୟ ଦିଲ୍ଲୀପ ଆଲୋକପାତ କରିଛନ୍ତି । ଶୀଘ୍ର ପ୍ରଧାନମନ୍ତ୍ରୀ ଏସବୁକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ଦିଲ୍ଲୀପ ରାୟ ।