କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ଅଗ୍ରଣୀ ଟେନିସ୍ ଓ ପିକଲବଲ୍ ଖେଳାଳି ତଥା ପ୍ରଶାସକ ଦିଲୀପ ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ବ । ଆମେରିକା ଫ୍ଲୋରିଡ଼ାର ସାଡଲ୍ବ୍ରୁକ୍ ରିସର୍ଟସଠାରେ ଫେବ୍ରୁଆରି ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ରାକେଟ୍ସ ସମ୍ମିଳନୀରେ ଦିଲୀପ ଭାରତର ପ୍ରତିଧିତ୍ବ କରିବେ । ଖେଳାଳିରୁ ଖେଳ ପ୍ରଶାସକ ତଥା ପରିଚାଳକ ହୋଇଥିବା ଦିଲୀପ ଏବେ ପିଟିଆର୍ (ପେସାଦାର ଟେନିସ୍ ପଞ୍ଜୀକୃତ), ଭାରତୀୟ ପିକଲ୍ବଲ୍ ସଂଘର ପ୍ରତିଯୋଗିତା ଓ ବିକାଶର ନିର୍ଦ୍ଦେଶକ ଏବଂ ଓଡ଼ିଶା ପିକଲ୍ବଲ୍ ସଂଘର ସଭାପତି ଅଛନ୍ତି । ଦିଲୀପଙ୍କ ସହିତ ଅନ୍ୟତମ ଭାରତୀୟ ସଦସ୍ୟା ଭାବେ ଆସାମ ପିକଲ୍ବଲ୍ ସଂଘର ସମ୍ପାଦିକା ନଜନୀନ୍ ରେହମାନ ମଧ୍ୟ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରିବେ । ୧୯୭୬ ମସିହାରୁ ପିଟିଆର୍ (ପେସାଦାର ଟେନିସ୍ ପଞ୍ଜୀକୃତ) ବିଶ୍ବର ୧୨୦ ଦେଶରେ ପେସାଦାର ଟେନିସ୍ରେ ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାକୁ ପରିଚାଳିତ କରୁଛି । ଉକ୍ତ ଅନ୍ତର୍ଜାତୀୟ ସମ୍ମିଳନୀରେ ଟେନିସ୍ ଓ ପିକଲ୍ବଲ୍ର ଶିକ୍ଷାଦାତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ । ବହୁ ମାଷ୍ଟର୍ ପେସାଦାର, ଶିଳ୍ପ ବିଶେଷଜ୍ଞ ଓ କ୍ରୀଡ଼ା ପ୍ରଶାସକମାନେ ଏହି ସମ୍ମିଳନୀରେ ଭାବ ବିନିମୟ କରିବା ସହ ରାକେଟ୍ କ୍ରୀଡ଼ାକୁ ବିଶ୍ବବ୍ୟାପୀ ପ୍ରସାର କରିବା ଦିଗରେ ଖସଡ଼ା ପ୍ରସ୍ତୁତ କରିବେ । ପିଟିଆର୍ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଏହା ମୋ ପାଇଁ ସ୍ବତନ୍ତ୍ର, ଗର୍ବ ଓ ଗୌରବ ବୋଲି କହିଛନ୍ତି ଦିଲୀପ ।
ଏହା ବି ପଢ଼ନ୍ତୁ: ଭାରତ-ପାକିସ୍ତାନ ମୁକାବିଲା ଗୁରୁତ୍ବ ହରାଇଲାଣି
Follow Us