କନକ ବ୍ୟୁରୋ : ଟମାଟୋ ଅଭାବି ବିକ୍ରି । ଗଞ୍ଜାମ ଓ ଢେଙ୍କାନାଳରେ କିଲୋ ପିଛା ଦର ୨ରୁ ୩ ଟଙ୍କା । ପାରିଶ୍ରମିକ ମିଳୁନଥିବାରୁ ପାଚିଲା ଟମାଟୋ ବିଲରେ ଛାଡ଼ିଦେଲେ ଚାଷୀ। ଲାଭ କଥା ଛାଡ଼ନ୍ତୁ ମୂଳ ତ ମିଳୁନାହିଁ । ତେଣୁ ବିଲକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଟମାଟୋ କିଲୋ ୨ ଟଙ୍କା । ୫ ଦିନରେ ଅଧା ହୋଇଗଲା ଦର । ମିଳୁନି ପାରିଶ୍ରମିକ, ଫସଲ ତୋଳିବାକୁ ଚାଷୀ ଅମଙ୍ଗ । ପାରିଶ୍ରମିକ ମିଳୁନଥିବାରୁ ହେକ୍ଟର ହେକ୍ଟର ଜମିରେ ଟମାଟୋ ଛାଡ଼ି ଦେଲେ ଗଞ୍ଜାମ ଚାଷୀ । ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ, ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହୋଇଛି । ଟମାଟୋ ମଧ୍ୟ ଭଲ ଫଳିଛି । କିନ୍ତୁ କିଛି ଦିନ ତଳେ ଟମାଟୋ କିଲୋ ପ୍ରତି ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ହଠାତ୍ ଦର ୨ରୁ ୩ ଟଙ୍କାକୁ ଖସିଯାଇଛି । ତେଣୁ ଯେଉଁ ଟମାଟୋ ଚାଷ ପାଇଁ ଚାଷୀ ୩ ମାସ ଧରି ଜମିରେ ଛାଳ ବୁହାଇଥିଲେ । ଏବେ ସେ ଜମିକୁ ଯିବାକୁ ଇଚ୍ଛା କରୁନାହାନ୍ତି । ଏକର ପିଛା ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ସମୟରେ ୫ ହଜାର ଟଙ୍କା ମଧ୍ୟ ମିଳିନଥିବା ଦୁଃଖର ସହ କହିଛନ୍ତି ଚାଷୀ ।
ଢେଙ୍କାନାଳରେ ମଧ୍ୟ ସମାନ ସ୍ଥିତି । ଟମାଟୋ ଚାଷ ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେତିକି ମିଳୁନଥିବାରୁ ସମସ୍ୟା ବଢ଼ିଯାଇଛି । ଗଁଅଦିଆ ବ୍ଲକରେ କିଲୋ ପିଛା ୨ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବ୍ରାହ୍ମଣୀ ନଦୀ କୁଳରେ ଥିବା ହାତୀବାରି ଗାଁର ଅଧିକାଂଶ ଚାଷୀ ପ୍ରତିବର୍ଷ ଟମାଟୋ ଚାଷ କରନ୍ତି । ପ୍ରାୟ ୧୦୦ ଏକର ଜମିରେ ଟମାଟୋ ଚାଷ ହୋଇଛି । ଗୋଟିଏ ଗୋଟିଏ ଗଛରେ ପ୍ରାୟ ୧୦ କେଜିରୁ ଅଧିକ ଟମାଟୋ ବି ଫଳିଛି। ହେଲେ ବଜାରରେ ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ପଟେ ପୁରୁନାହିଁ ।
ବଜାରରେ ଟମାଟୋ ଦର କମ ଥିବାରୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ତେଣୁ ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ଏକର ଏକର ଟମାଟୋ ଜମିରେ ପଚିଗଲାଣି ।