Photograph: (kanaknews)
କନକବ୍ୟୁରୋ : ଯାଜପୁରର ବ୍ୟାସ ସରୋବର। ତିନି ତିନି ଥର ପର୍ଯ୍ୟଟନ ସ୍ଥଳ ମାନ୍ୟତା ମିଳିଛି । କିନ୍ତୁ ଏହା ଫଳକରେ ସୀମିତ ହେଲା ପରି ମନେ ହେଉଛି । କୋଟିକୋଟି ଟଙ୍କାର କାମ ଅଧପନ୍ତରିଆ ହୋଇପଡିଛି । ଯେତିକି କାମ ହୋଇଥିଲା ତା’ ବି ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ।
ଏ ହେଉଛି ବ୍ୟାସ ସରୋବର ପୀଠ । ଯାଜପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ପୂର୍ବ ସରକାର ଅମଳରେ ଏହାର ଉନ୍ନତିକରଣ ପାଇଁ ଶୁଭ ପଡ଼ିଥିଲା । ଦ୍ବାପର ଯୁଗର ମହାଭାରତକୁ ସରୋବରରେ ଉଦଜୀବିତ କରିବା ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଡିଏମ୍ଏଫ୍ ପାଣ୍ଠିରୁ ୬୮ କୋଟି ଟଙ୍କା ଆସିଲା, କାମ ବି ଆରମ୍ଭ ହେଲା । ଅଧାଅଧି କାର୍ଯ୍ୟ ସରିଛି କି ନାହିଁ ଚଳିତ ବର୍ଷ ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଲୋକାର୍ପଣ କରାଗଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସେ ସବୁ ନଷ୍ଟ ହେବାକୁ ବସିଛି । ମୂର୍ତ୍ତି ଭାଙ୍ଗିଗଲାଣି। ସବୁଜ ବନାନୀ ପାଣି ନପାଇ ଶୁଖି ଗଲାଣି ।
ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ : ହୋଇନି କ୍ଷୟକ୍ଷତି
ଧୀରେ ଧୀରେ ବ୍ୟାସ ସରୋବର ସୋନ୍ଦର୍ଯ୍ୟ ହରାଇବାରେ ଲାଗିଛି । ଶହେ ଏକରରୁ ଉର୍ଦ୍ଧ୍ବ ଜମିରେ ସରୋବରର ରୂପରେଖ ବଦଳାଇବା ନେଇ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଆଜି ଯାଏଁ ସମ୍ପୂର୍ଣ୍ଣ କାମ ସରୁନି। ଯେତିକି କାମ ହୋଇଥିଲା ତା’ ବି ନଷ୍ଟ ହୋଇଗଲାଣି । ପିଇବା ପାଣି, ଶୌଚାଳୟ କୌଣସି ସୁବିଧା ନାହିଁ । ଋଷି ବ୍ୟାସଦେବଙ୍କ ମନ୍ଦିର ଚାରିପଟ ଜଳରାଶିରେ ବୋଟିଂ ବ୍ୟବସ୍ଥା ଅଛି, ହେଲେ ବୋଟ୍ ନାହିଁ । ଆଲୋକୀକରଣ କରାଯାଇଛି, ହେଲେ ସଞ୍ଜ ହେଲେ ବ୍ୟାସ ସରୋବରକୁ କବଳିତ କରୁଛି ଘନ ଅନ୍ଧାର। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବର୍ଷ ପରେ ବର୍ଷ ବିତୁଛି, ନା କାମ ସରୁଛି ନା ଯେତିକି ଅଛି ତାକୁ ସୁରକ୍ଷା ମିଳୁଛି। ଠିକାଦାରଙ୍କର ବି ଦେଖାଦର୍ଶନ ମିଳୁନି । ଯଥାଶୀଘ୍ର ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଦାବି କରିଛନ୍ତି ପର୍ଯ୍ୟଟକ ଓ ବୁଦ୍ଧିଜୀବି।
Follow Us