କନକ ବ୍ୟୁରୋ: ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । କହିଲେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥଧାମ କୁହାଯାଇପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ହୋଇଥିଲା ନିମନ୍ତ୍ରଣ କିନ୍ତୁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିବା କହିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେହିପରି ଶ୍ରୀଜିଉଙ୍କ ଦାରୁ କାଠ କେବଳ ଛୋଟ ଛୋଟ ଖଣ୍ଡ ଆକାରରେ ବଳେ । ତାକୁ ନେଇ ମୂର୍ତ୍ତି କରିବା ସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି । ତେବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଏହି ବୈଠକରେ ସେ ଯୋଗଦେବେ । ଦୀଘା ଜଗନ୍ନାଥ ବିବାଦ ଓ ଦାରୁ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ।
ସୂଚନାଯୋଗ୍ୟ ଯେ, ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ବି ନୋଟିସ୍ ଜାରି ହୋଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ରେ କୁହାଯାଇଛି । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ତଢ଼ାଉକରଣ,ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ ।
ଦ୍ଵିତୀୟ ପର୍ଯାୟରେ ବାଡ଼ଗ୍ରାହୀ ମାନଙ୍କ ସହ ବୈଠକ ବସିଥିବା ବେଳେ ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ । ତୃତୀୟ ପର୍ଯ୍ୟାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ବଳକା ରହିଥିବା କାଠରେ ବିଗ୍ରହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଶ୍ୱକର୍ମା ମହାରଣା ମାନେ ମତ ରଖିଛନ୍ତି । ଏପରିକି ବଳକା ରହିଥିବା ଦାରୁ କାଠ ସମୂହରେ ମଧ୍ୟ ଏତେ ବଡ଼ ବିଗ୍ରହ ହୋଇପାରିବ ନାହିଁ ବୋଲି ବିଶ୍ୱକର୍ମା ମହାରଣା ସ୍ପଷ୍ଟ କରିଛନ୍ତି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।