କନକବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ହାଜର ହେଲେ ରାମକୃଷ୍ଣ ଦାସ ମହାପାତ୍ର । ପକ୍ଷ ରଖିବା ପାଇଁ ହାଜର ହେଲେ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଥିଲା ଶ୍ରୀମନ୍ଦିର ନୀତି ପ୍ରଶାସକ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।
ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ଚଢ଼ାଉକରଣ, ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଦ୍ଵିତୀୟ ପର୍ଯ୍ୟାୟରେ ବାଡଗ୍ରାହୀ ମାନଙ୍କ ସହ ବୈଠକ ବସିଥିବା ବେଳେ ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ । ତୃତୀୟ ପର୍ଯାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା ।
ସେପ଼ଟେ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ପୁଣି ମାମଲା । ସିଂହଦ୍ବାର ଥାନାରେ ରାମକୃଷ୍ଣ ମହାପାତ୍ରଙ୍କ ନାଁରେ ଏତଲା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନା । ଦାରୁ କାଠ କିପରି ଦୀଘା ଗଲା ସେନେଇ ଏତଲାରେ ଲେଖା ହୋଇଛି । ଏହା ସହ ଶ୍ରୀମନ୍ଦିର ପ୍ରଶାସନ ନାଁରେ ମଧ୍ୟ ଏତଲା ଦିଆଯାଇଛି । ଏଥିସହ ଦୀଘା ଜଗନ୍ନାଥ ଧାମ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । କହିଲେ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି । ଦୀଘା ମନ୍ଦିର ପ୍ରତିଷ୍ଠା ପାଇଁ ତାଙ୍କୁ ମଧ୍ୟ ହୋଇଥିଲା ନିମନ୍ତ୍ରଣ ।
କିନ୍ତୁ ଯିବାକୁ ଇଚ୍ଛା ପ୍ରକାଶ କରି ନଥିବା କହିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେହିପରି ଶ୍ରୀଜିଉ ଙ୍କ ଦାରୁ କାଠ କେବଳ ଛୋଟ ଛୋଟ ଖଣ୍ଡ ଆକାରରେ ବଳେ । ତାକୁ ନେଇ ମୂର୍ତ୍ତି କରିବା ସମ୍ଭବ ନୁହେଁ ବୋଲି ସେ ମତ ରଖିଛନ୍ତି । ତେବେ ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଏହି ବୈଠକରେ ସେ ଯୋଗଦେବେ । ଦୀଘା ଜଗନ୍ନାଥ ବିବାଦ ଓ ଦାରୁ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ ।
।