କନକବ୍ୟୁରୋ :
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୋଧରେ ଆଣିଥିବା ‘ଭୋଟ ଚୋରି’ ଅଭିଯୋଗ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ମୁଖ୍ୟ ନିର୍ବାଚନ କମିସନ ଏ ବାବଦରେ ରାହୁଲଙ୍କୁ ନିଶାଣ କରିଛନ୍ତି। ରାହୁଲଙ୍କ ଅଭିଯୋଗର ଜବାବ ରଖି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗ ପାଇଁ ତାଙ୍କୁ ସପ୍ତାହକ ମଧ୍ୟରେ ସତ୍ୟପାଠ ଦେବାକୁ ପଡ଼ିବ କିମ୍ବା ଦେଶବାସୀଙ୍କୁ କ୍ଷମା ମାଗିବାକୁ ହେବ। ଏହାର କୌଣସି ତୃତୀୟ ବିକଳ୍ପ ନାହିଁ ।
ସାତ ଦିନ ମଧ୍ୟରେ ସତ୍ୟପାଠ ନ ମିଳିଲେ ଅଭିଯୋଗ ଭିତ୍ତିହୀନ ବୋଲି ଧରାଯିବ ଏବଂ ଦେଶରେ ଅଯଥା ବିଭ୍ରାନ୍ତି ସୃଷ୍ଟି ପାଇଁ ସଂପୃକ୍ତ ନେତାଙ୍କୁ ଦାୟୀ କରାଯିବ ବୋଲି କୁମାର କହିଛନ୍ତି। ବିନା ପ୍ରମାଣରେ ଯୋଗ୍ୟ ଭୋଟରଙ୍କ ନାମ କଟାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିସନର ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଆୟୋଗ ସବୁବେଳେ ପ୍ରତ୍ୟେକ ଭୋଟରଙ୍କ ସହ ଦୃଢ଼ତାର ସହ ରହିଛନ୍ତି ଏବଂ ଏହାକୁ ନେଇ କାହାର କିଛି ସନ୍ଦେହ ରହିବା ଉଚିତ ନୁହେଁ ବୋଲି କୁମାର କହିଛନ୍ତି।
ଯଦି କେହି ଭାବୁଛନ୍ତି ଯେ ଭୁଲ୍ ତଥ୍ୟ ଦେଇ ତାହାକୁ ନିର୍ବାଚନ କମିସନଙ୍କ ତଥ୍ୟ ଭଳି ଦର୍ଶାଇ ବିଭ୍ରାନ୍ତି ସୃଷ୍ଟି କରିପାରିବେ, ତା’ହେଲେ ଏହା ଏକ ଭ୍ରାନ୍ତ ଧାରଣା। ବିନା ସତ୍ୟପାଠରେ, ବିନା କୌଣସି ଯୁକ୍ତିଯୁକ୍ତ ପ୍ରମାଣ ଆଧାରରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏଭଳି ଗମ୍ଭୀର ପ୍ରସଙ୍ଗ ଉଠାଇବା ଉଚିତ ନୁହେଁ। ନିର୍ବାଚନ କମିସନଙ୍କ କାନ୍ଧରେ ବନ୍ଧୁକ ରଖି ଭାରତର ଭୋଟରଙ୍କୁ ଟାର୍ଗେଟ୍ କରି ରାଜନୀତି କରାଯାଉଛି ବୋଲି କୁମାର କହିଛନ୍ତି। ନିର୍ବାଚନ ଆୟୋଗ ବିନା ଭେଦଭାବରେ ସବୁ ଧର୍ମର ଭୋଟରଙ୍କ ସହ ନିର୍ଭୟରେ ଠିଆ ହୋଇଛନ୍ତି। ଆମ ପାଇଁ କେହି ପକ୍ଷ କି ବିପକ୍ଷ ନୁହନ୍ତି, ସମସ୍ତେ ସମାନ ବୋଲି କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
‘ଆମ ପାଇଁ କେହି ପକ୍ଷ, ବିପକ୍ଷ ନୁହନ୍ତି’
‘ପ୍ରତ୍ୟେକ ଭୋଟରଙ୍କ ସହ ରହିଛୁ’
ଭୟଭୀତ ନୁହେଁ: ରାହୁଲ
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କୁ ସତ୍ୟପାଠ ବା କ୍ଷମା ପ୍ରାର୍ଥନା କରିବା ପାଇଁ ମୁଖ୍ୟ ନିର୍ବାଚନ କମିସନଙ୍କ ଆହ୍ବାନକୁ ଆଜି କଂଗ୍ରେସ ନିନ୍ଦା କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ନିର୍ବାଚନ ଆୟୋଗ ଖୋଲାଖୋଲି ପକ୍ଷପାତ ନୀତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଏକ ପୋଷ୍ଟ୍ରେ କହିଛନ୍ତି, ଆଜି ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଥମ ଥର ପାଇଁ ସିଧାସଳଖ କଥାବାର୍ତ୍ତା କରିବାକୁ ଆସିଛନ୍ତି। କମିସନଙ୍କ ପକ୍ଷପାତ ନୀତି ଧରାପଡ଼ିଯାଇଛି ଏବଂ ସତ୍ୟପାଠ ଦାବି କରି କମିସନ ଯେଉଁ ଆଭିମୁଖ୍ୟ ଦେଖାଇଛନ୍ତି ତାହା ଗ୍ରହଣୀୟ ନୁହେଁ।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୋଧରେ ଭୋଟର ତାଲିକାରେ ହେରଫେର ଓ ଭୋଟ ଚୋରି ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ଏବଂ ମହାରାଷ୍ଟ୍ର, ହରିୟାଣା, କର୍ଣ୍ଣାଟକ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଛି ବୋଲି ସେ ଦାବି କରିଛନ୍ତି। କର୍ଣ୍ଣାଟକର ମହାଦେବପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ରାହୁଲ କହିଛନ୍ତି ଯେ ସେଠାରେ ନକଲି ଭୋଟର, ନକଲି ଠିକଣା, ସମାନ ଠିକଣାରେ ଶତାଧିକ ଭୋଟର, ଭୁଲ ଫଟୋ ଏବଂ ଫର୍ମ-୬ର ଅପବ୍ୟବହାର ସମେତ ୧ ଲକ୍ଷରୁ ଅଧିକ ନକଲି ଭୋଟ ଯୋଡ଼ାଯାଇଛି। ବିଜେପି ସହ ମିଶି ଏଥିରେ ଜାଲିଆତି କରାଯାଉଛି, ଯାହା ଦଳକୁ ଫାଇଦା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀ ନିର୍ବାଚନ କମିସନଙ୍କ ବିରୋଧରେ ଲଗାତାର ଅଭିଯୋଗ ଜାରି ରଖିଥିବା ବେଳେ ଏ ବାବଦରେ କୌଣସି ଦସ୍ତାବିଜ ସତ୍ୟପାଠ ସହ ଦାଖଲ କରିବାକୁ ମନା କରିଦେଇଛନ୍ତି। ନିର୍ବାଚନ କମିସନଙ୍କ ନିଷ୍ପତ୍ତିରେ ମୁଁ ଭୟଭୀତ ନୁହେଁ ବୋଲି ରାହୁଲ ଆଜି ବିହାରର ସସାରାମଠାରେ ଏକ ସମାବେଶରେ କହିଛନ୍ତି। ବିହାର ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଜରିଆରେ ନିର୍ବାଚନ ଚୋରି କରିବାକୁ ଷଡ଼ଯନ୍ତ୍ର କରାଯାଉଛି, କିନ୍ତୁ ବିରୋଧୀ ଏହା ହେବାକୁ ଦେବେ ନାହିଁ ବୋଲି ସେ କହିଛନ୍ତି।