କନକ ବ୍ୟୁରୋ :  ପର୍ବ ପର୍ବାଣୀ ଓ ପରମ୍ପରା ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଉପଚାରରେ ପାଳନ କରାଯାଏ । ଆଗକୁ ଆସୁଛି ଦୀପାବଳି, ଭାରତରେ ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଏ । ଦୀପାବଳି  ଦିନ କାଉଁରିଆ କାଠି ଜାଳି ଆମେ ପୂର୍ବ ପୂରୁଷଙ୍କୁ ଉପାସନା କରିଥାଉ । ବାଣ ଫୁଟାଇ ମଜା ମସ୍ତି ମଧ୍ୟ କରିଥାଉ । କେଉଁଠି ଦୀପାବଳି ଗୋଟିଏ ଦିନ ପାଳନ କରାଯାଏ ତ ପୁଣି କେଉଁଠି ୫ ଦିନ ପର୍ୟ୍ୟନ୍ତ ଏହି ଆଲୋକର ପର୍ବ ପାଳନ କରାଯାଏ । ଯେଉଁ ସବୁ ସ୍ଥାନରେ ୫ ଦିନ ଦୀପାବଳି ପାଳନ କରାଯାଏ, ସେଠାରେ ପ୍ରତିଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଏ । ଭାରତ ଭଳି ନେପାଳରେ ମଧ୍ୟ ଦୀପାବଳି ପାଳନ କରାଯାଏ । ହେଲେ ଏଠାରେ ଭିନ୍ନ ପରମ୍ପରା । ଭାରତରେ ଦୀପାବଳିରେ ପୂର୍ବପୁରୁଷଙ୍କୁ ଆବାହନ କରାଯିବା ସହ ଦେବୀ ପୂଜା ମଧ୍ୟ କରାଯାଏ । ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ନେପାଳରେ ଦୀପାବଳିରେ କୁକୁରକୁ ପୂଜା କରିବାର ପରମ୍ପରା ରହିଛି । ଏହା କୁକୁର ପୂଜା ନାମରେ ପୂରା ନେପାରେ ପ୍ରସିଦ୍ଧ । 

Advertisment

ଦୀପାବଳି ହିନ୍ଦୁ ପରମ୍ପରାର ସବୁଠାରୁ ବଡ଼ ପର୍ବ । ୫ ଦିନ ପର୍ୟ୍ୟନ୍ତ ପାଳନ ହେଉଥିବା ଏହି ପର୍ବରେ ବିଶେଷ କରି ଦେବୀ ଲକ୍ଷ୍ମୀଙ୍କ ସହ ଭଗବାନ ଧନନ୍ତ୍ୱରୀ, ଯମରାଜ, ଶ୍ରୀଗଣେଶ, ଦେବୀ ସରସ୍ୱତୀଙ୍କ ସମେତ ଅନ୍ୟ ଦେବା ଦେବୀଙ୍କୁ ମଧ୍ୟ ପୂଜା କରାଯାଏ । ଭାରତ ଭଳି ନେପାଳରେ ମଧ୍ୟରେ ଦୀପାବଳି ପର୍ବ ବଡ଼ ଧୁମଧାମରେ ପାଳନ କରାଯାଏ । ନେପାଳରେ ଏହି ପର୍ବକୁ କୁକୁର ପୂଜାର ପର୍ବ ବୋଲି ମଧ୍ୟ କୁହାଯାଏ । 

ନେପାଳରେ ଦୀପାବଳି ଉତ୍ସବର ପରଦିନ ଅର୍ଥାତ ନରକ ଚର୍ତୁଦଶୀରେ କୁକୁରଙ୍କ ପୂଜା କରାଯାଏ । ଏହି ପୂଜାରେ ପ୍ରଥମେ କୁକୁରଙ୍କୁ ସଜା ଯାଇଥାଏ । ଫୁଲମାଳ ଚନ୍ଦନରେ କୁକୁରକୁ ସଜାଇ ତାର ପାଦତଳେ ଚାଉଳ ଅର୍ପଣ କରାଯାଏ । ଏହାପରେ କୁକୁରଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଆଯାଏ । ଏହାପରେ କୁକୁରଙ୍କୁ ସେମାନଙ୍କ ମନପସନ୍ଦ ଖାଦ୍ୟ ଦିଆଯାଇଥାଏ । ଏହି କୁକୁର ପୂଜା ବିଶେଷ କରି କୁକୁରର ବିଶ୍ୱସନୀୟତାକୁ ସମ୍ମାନ ଦେଇ କରାଯାଇଥାଏ । 

ନେପାଳବାସୀଙ୍କର ବିଶ୍ୱାସ ରହିଛି କି, କୁକୁର ହେଉଛି ଯମରାଜଙ୍କ ଦୂତ । ନରକ ଚର୍ତୁଦଶୀରେ କୁକୁରଙ୍କୁ ପୂଜା କଲେ ଯମରାଜ ପ୍ରଶନ୍ନ ହୁଅନ୍ତି ବୋଲି ନେପାଳବାସୀଙ୍କର ବିଶ୍ୱାସ ରହିଛି । ଘରେ ଆକାଳ ମୃତ୍ୟୁ ନହେଉ ତେଣୁ ଯମରାଜଙ୍କ ଉର୍ଦ୍ଦେଶ୍ୟରେ କୁକୁର ପୂଜା କରାଯାଇଥାଏ । ସେପଟେ କୁକୁର ଭୈରବଙ୍କର ବାହନ । 

ଶିବପୁରାଣ ମୁତାବକ ଯମରାଜଙ୍କର ଦୁଇଟି କୁକୁର ରହିଛନ୍ତି । ସେମାନଙ୍କ ନାମ ଶ୍ୟମ ଓ ଶବଳ , ଏହି ଦୁଇ କୁକୁର ମଣିଷର ମୃତ୍ୟୁ ପରେ ସେମାନଙ୍କୁ ଯମରାଜଙ୍କ ପାଖକୁ ନେଇଯାଇଥାଏ । ମହାଭାରତରେ ସ୍ୱଂୟ ଯମରାଜ କୁକୁର ରୂପରେ ଆସି ପାଣ୍ଡବଙ୍କର ପରୀକ୍ଷା ନେଇଥିଲେ । 
ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍