କନକ ବ୍ୟୁରୋ: ମାଟ୍ରିକ ରେଜଲ୍ଟ ଧରାପକାଇଲା ସରକାରୀ ସ୍କୁଲର ଦୟନୀୟ ଚିତ୍ର। ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲର ପ୍ରଦର୍ଶନ ଖରାପ ରହିଛି । ପାସ୍ ହାର କମ ଥିବା ବେଳେ ଗ୍ରେଡରେ ମଧ୍ୟ ଘରୋଇ ସ୍କୁଲଠାରୁ ପଛରେ ରହିଛି ସରକାରୀ ସ୍କୁଲ। ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି କାହିଁକି ପଛରେ ରହୁଛି ସରକାରୀ ସ୍କୁଲ । ଭଲ ଭିତ୍ତିଭୂମି ଥାଇ ବି କାହିଁକି କମୁଛି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପ୍ରଦର୍ଶନ।
ମାଟ୍ରିକ୍ ପରୀକ୍ଷା ଫଳ ପୋଷ୍ଟମର୍ଟମ୍ରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ସରକାରୀ ସ୍କୁଲ୍କୁ ପୁଣି ଟପିଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର। ଶିକ୍ଷା ବିକାଶ ସମିତିରେ ପଢ଼ୁଥିବା ପିଲାମାନେ କେମିତି ଭଲ ପଢ଼ୁଛନ୍ତି? ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ନଜର ପକାଇବା ମାଟ୍ରିକ୍ ପରୀକ୍ଷାରେ କେମିତି ରହିଛି କାହାର ଫଳାଫଳ ? ମୋଟ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ପରୀକ୍ଷାର୍ଥୀ । ଯେଉଁଥିରୁ ଏ-୧ ପାଇଛନ୍ତି ୧୮୧୨ ଜଣ ଅର୍ଥାତ୍ ୦.୩୬% ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲର ପାସ୍ହାର ୯୦.୦୮ ପ୍ରତିଶତ ଥିଲାବେଳେ ଶିକ୍ଷା ବିକାଶ ସମିତି ଅଧୀନସ୍ଥ ସ୍କୁଲର ମୋଟ୍ ପାସହାର ରହିଛି ୯୯.୯୧ ପ୍ରତିଶତ। ଯାହା ସରକାରୀ ସ୍କୁଲ୍ର ବିକଳ ଚିତ୍ରକୁ ପୁଣିଥରେ ପଦାରେ ପକାଇଛି। ପ୍ରଶ୍ନ ଉଠୁଛି, ଭଲ ଭିତ୍ତିଭୂମି ଥାଇ ବି କାହିଁକି କମୁଛି ଗୁଣାତ୍ମକ ଶିକ୍ଷାର ମାନ? କାହିଁକି ସରକାରୀ ସ୍କୁଲରୁ ମିଳୁନାହାନ୍ତି ମେଧାବୀ? ଭଲ ପଢ଼ା ହେଉନି, ନା ପିଲା ଭଲ ପଢୁ ନାହାନ୍ତି? ସେପଟେ ୨୦୦୭ରୁ ୨୦୨୦ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦର ହାରାହାରି ପାସହାର ୮୦ % ଭିତରେ ରହିଥିଲା। ୨୦୨୧ରୁ ୨୦୨୫ ଭିତରେ ହଠାତ୍ ଏହା ବଢ଼ି ୯୬%ରେ ପହଞ୍ଚିଛି। କୋଭିଡ୍ ପରଠାରୁ ଏହି ପାସ୍ ହାର ଅଚାନକ ବଢ଼ିବାକୁ ସନ୍ଦେହ ନଜରରେ ଦେଖୁଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ଶିକ୍ଷାବିତ୍ କହିଛନ୍ତି, ପିଲାଙ୍କ ପାସ୍ହାର ବଢ଼ାଉଛି ପ୍ରଶ୍ନପତ୍ର ଢାଞ୍ଚା। ଶିକ୍ଷା ବିକାଶ କ୍ଷେତ୍ରରେ ସରକାର ଖର୍ଚ୍ଚ କରୁଛନ୍ତି ହଜାର ହଜାର କୋଟି ଟଙ୍କା। କିନ୍ତୁ ଘରୋଇ ସ୍କୁଲ୍ ତୁଳନାରେ ଆଜି ବି ପଛରେ ରହୁଛି ସରକାରୀ ସ୍କୁଲ୍।