କନକ ବ୍ୟୁରୋ: ନେତାଙ୍କୁ ୩୦ ଦିନ ଜେଲ୍ ହେଲେ, ପଦ ଯିବା ନେଇ ୧୩୦ତମ ସମ୍ବିଧାନ ସଂଶୋଧନ ବିଲରେ କଥା ଉଠିବା ପରେ ଏବେ ସବୁଠି ଏହି କଥାକୁ ନେଇ ଚର୍ଚ୍ଚା ହେଉଛି । ଜଣେ ନେତା ଗମ୍ଭୀର ଅଭିଯୋଗରେ ୩୦ ଦିନ ଜେଲରେ ରହିଲେ, ସେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୋଇଥିଲେ ବି ପଦ ଛାଡ଼ିବେ ବୋଲି ଏହି ନୂଆ ବିଲରେ ଉଲ୍ଲେଖ କରାଯାଇଛି । ଏନେଇ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ଦିନେ ଅମିତ ଶାହ ମଧ୍ୟ ଜେଲ୍ ଯାଇଥିଲେ ଆଉ ଜେଲ୍ ଯିବା ପୂର୍ବରୁ ସେ ଗୁଜରାଟର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । 

Advertisment

ଏ କଥା ହେଉଛି ୨୦୦୫ ମସିହାର । ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥାଆନ୍ତି ନରେନ୍ଦ୍ର ମୋଦୀ ଆଉ ତାଙ୍କର ଗୃହମନ୍ତ୍ରୀ ଥାଆନ୍ତି ଅମିତ ଶାହ । ଏହି ସମୟରେ ଅହମ୍ମଦାବାଦରେ ଗ୍ୟାଙ୍ଗଷ୍ଟର ସୋହରାବୁଦ୍ଦିନର ଏନକାଉଣ୍ଟର ହୋଇଥିଲା । ରାଜସ୍ଥାନ ଏବଂ ଗୁଜରାଟ ପୋଲିସ ମିଶି ଏହି ଏନକାଉଣ୍ଟର କରିଥିଲେ, ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ପ୍ରଥମେ ସୋହରାବୁଦ୍ଦିନଙ୍କୁ ଆତଙ୍କବାଦୀ କୁହାଯାଇଥିଲା, ହେଲେ ପରେ ଗ୍ୟାଙ୍ଗଷ୍ଟର କୁହାଗଲା । ଆଉ ଏହି ଏନକାଉଣ୍ଟରରେ ସୋହରାବୁଦ୍ଦିନ ସହିତ ତା ସ୍ତ୍ରୀକୁ ମଧ୍ୟ ମାରିଦିଆଯାଇଥିଲା ।

ସେତେବେଳେ ଏହି ମାମଲାରେ ଅମିତ ଶାହଙ୍କୁ ଯୋଡ଼ାଯିବା ସହିତ ତାଙ୍କୁ ଏଥିରେ ଅଭିଯୁକ୍ତ ବନାଯାଇଥିଲା । ସିବିଆଇର ଚାର୍ଜସିଟରେ ଅମିତ ଶାହଙ୍କ ସହିତ ରାଜସ୍ଥାନର ମନ୍ତ୍ରୀ ଗୁଲାବ ଚନ୍ଦ କଟାରିୟାଙ୍କ ନାଁ ମଧ୍ୟ ରହିଥିଲା । ଅମିତ ଶାହ ଏହି ମାମଲାରେ ଗିରଫ ହେବା ପୂର୍ବରୁ ବିଜେପି ପାର୍ଟି ଅଫିସରେ ପହଞ୍ଚି ପ୍ରେସମିଟ୍ କରିଥିଲେ ଆଉ ନିଜକୁ ନିର୍ଦ୍ଦୋଷ କହିବା ସହିତ ସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ।

  • ଗିରଫ ହେବା ପୂର୍ବରୁ ଅମିତ ଶାହ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ସେ ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ଗ୍ରହଣ କରି ନେଇଥିଲେ । 
  • ୨୦୧୦ ମସିହା ଜୁଲାଇ ୨୫ ତାରିଖରେ ଅମିତ ଶାହ ଗିରଫ ହେଇଥିଲେ ଆଉ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । 
  • ପାଖାପାଖି ୩ ମାସ ଜେଲରେ ରହିବା ପରେ ୨୦୧୦ ମସିହା ଅକ୍ଟୋବର ୨୧ ତାରିଖରେ ଅମିତ ଶାହଙ୍କୁ ବେଲ୍ ମିଳିଥିଲା । ହେଲେ ଏହାପରେ କିନ୍ତୁ ତାଙ୍କୁ ଗୁଜରାଟରୁ ବାହାରେ ରହିବାକୁ କୁହାଯାଇଥିଲା । 
  • ୨୦୧୪ ମସିହାରେ ଅମିତ ଶାହ, ଗୁଲବ ଚନ୍ଦ କଟାରିୟାଙ୍କ ସମେତ ୧୬ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଥିଲେ ଆଉ କ୍ଲିନ୍ ଚିଟ୍ ଦେଇଥିଲେ ।