କନକ ବ୍ୟୁରୋ: ଟାରିଫ୍ ତିକ୍ତତା ଭିତରେ ଏକ ଭଲ ଖବର । ଭାରତର ବିଭିନ୍ନ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ପାରସ୍ପରିକ ଟାରିଫ୍ ୨୫ ପ୍ରତିଶତରୁ ୧୦ରୁ ୧୫ ପ୍ରତିଶତକୁ ଖସାଇପାରେ । ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଏନେଇ ଆଶା ପ୍ରକାଶ କରିଛନ୍ତି । ରପ୍ତାନିକାରୀମାନେ ଏହାଦ୍ୱାରା ଉପକୃତ ହେବେ ।
ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ନିଯୁକ୍ତ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରେଡାନ ଲିଞ୍ଚି ଏବଂ ଭାରତୀୟ ବାଣିଜ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ମଧ୍ୟରେ ଦୁଇଦିନ ତଳେ ନୂଆଦିଲ୍ଲୀରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ନେଇ ଆଲୋଚନା ହୋଇଥିଲା । ଭାରତ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ ଏହା ଥିଲା ଦୁଇଦେଶର ପ୍ରତିନିଧିଙ୍କ ମଧ୍ୟରେ ପ୍ରଥମ ବୈଠକ । ଏଥିରୁ ଟାରିଫ୍ କମିବାର ସଂକେତ ମିଳିଛି । ଖୁବ୍ ଶୀଘ୍ର ଭାରତ ଉପରେ ଆମେରିକା ଟାରିଫ୍ କମାଇପାରେ । ଭାରତର ବିଭିନ୍ନ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ପାରସ୍ପରିକ ଟାରିଫ୍ ୨୫%ରୁ ୧୦-୧୫%କୁ ହ୍ରାସ ପାଇବା ଆଶା କରାଯାଉଛି ।
ପାରସ୍ପରିକ ଟାରିଫ ସହ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଆମେରିକା ଆଉ ୨୫% ,ଏହିପରି ମୋଟ ୫୦ %ଟାରିଫ ଲଗାଇଛି ।ପାରସ୍ପରିକ ଟାରିଫ କମିବା ଦ୍ୱାରା ଆମେରିକାକୁ ବିଭିନ୍ନ ସାମଗ୍ରୀ ରପ୍ତାନି କରୁଥିବା ବ୍ୟବସାୟୀ ଓ କମ୍ପାନି ଉପକୃତ ହେବେ । ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରର ଏନେଇ ଆଶାବାଦୀ ଅଛନ୍ତି । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭି. ଅନନ୍ତ ନାଗେଶ୍ୱରନ କହିଛନ୍ତି, ଆମେରିକା ଆସନ୍ତା ନଭେମ୍ୱର ମାସ ଶେଷ ଆଡ଼କୁ ଏନେଇ ନିଷ୍ପତ୍ତି ନେଇପାରେ । ତେବେ ଏହା ତାଙ୍କର ବ୍ୟକ୍ତିଗତ ଆକଳନ ବୋଲି ଭି. ଅନନ୍ତ ନାଗେଶ୍ୱରନ ସ୍ପଷ୍ଟ କରିଛନ୍ତି । ଏନେଇ ଭାରତ କିମ୍ୱା ଆମେରିକା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏହା ମଧ୍ୟରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ବଦଳିଛି । ଟ୍ରମ୍ପଙ୍କର ପରିବର୍ତ୍ତିତ ମନ୍ତବ୍ୟ, ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନଙ୍କ ଆକଳନକୁ ବଳ ଯୋଗାଇଛି । କେବଳ ପାରସ୍ପରିକ ଟାରିଫ୍ ନୁହେଁ, ଅନ୍ୟ ବାବଦରେ ମଧ୍ୟ ରିହାତି ମିଳିପାରେ ବୋଲି ନାଗେଶ୍ବର ଆଶା ପ୍ରକାଶ କରିଛନ୍ତି ।