କନକ ବ୍ୟୁରୋ: ଭୁବନେଶ୍ବରରେ ଷ୍ଟେଟ୍ ଅଫ୍ ଆର୍ଟ ଏଗ୍ଜିବିସନ୍ ସେଣ୍ଟର ନିର୍ମାଣ ନିଷ୍ପତ୍ତିକୁ ଅଢ଼େଇ ବର୍ଷ ପୂରିବାକୁ ବସିଲାଣି । ହେଲେ ଆଜି ପର୍ଯ୍ୟନ୍ତ ଏହାର ଡିପିଆର ସରିଛି କି ନାହିଁ କେହି କହି ପାରୁନାହାନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାର ନିର୍ମାଣ ଲାଗି ସ୍ଥିର ହୋଇଥିଲେ ବି ଏଥିରେ କିଏ ପ୍ରତିବନ୍ଧକ ସାଜିଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।
ଗୋଟିଏ ସ୍ଥାନରେ ସବୁ ପ୍ରକାର ପ୍ରଦର୍ଶନୀ ପାଇଁ ଷ୍ଟେଟ୍ ଅଫ୍ ଆର୍ଟ ଏଗ୍ଜିବିସନ୍ ସେଣ୍ଟର ପରିକଳ୍ପନା କରାଯାଇଥିଲା । କୋଲକାତାର ବିଶ୍ବ ବଙ୍ଗଳା ସମ୍ମିଳନୀ କେନ୍ଦ୍ର,ଗୁଜରାଟର ମହାତ୍ମା ମଣ୍ଡଳ ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ନୂଆଦିଲ୍ଲୀର ପ୍ରଗତି ମଇଦାନ ଭଳି ଓଡ଼ିଶାରେ ଏହା ହୋଇଥାନ୍ତା । ବିଭିନ୍ନ ସ୍ଥାନ ବଦଳରେ ଗୋଟିଏ ସ୍ଥାନରେ ପ୍ରଦର୍ଶନୀ ହେଲେ ଲୋକ ସହଜରେ ଯାଇପାରିବେ ବୋଲି ଯୋଜନା ହୋଇଥିଲା । ହେଲେ ଆଜି ପର୍ୟ୍ୟନ୍ତ ଫାଇଲ୍ ଭିତରୁ ଏହି ଯୋଜନା ମୁଣ୍ଡ ଟେକି ପାରିନଥିବାରୁ ଏହାର ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଛି ।
୨୦୨୨ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ । ଭୁବନେଶ୍ବର ଜନତା ମଇଦାନରେ ଏହି ସେଣ୍ଟର ପାଇଁ ହେଲା ନିଷ୍ପତ୍ତି । ଏଥିପାଇଁ ଇଡ୍କୋକୁ କନସଲ୍ଟାନ୍ସି ଠିକ୍ କରିବାକୁ କୁହାଯାଇଥିଲା । ଏହାର ଡିପିଆର ପ୍ରସ୍ତୁତ କରିଥାନ୍ତା ପିପୁଲସ୍ ପ୍ରାଇଭେଟ୍ ଲିମିଟେଡ୍ କିନ୍ତୁ ଏହି ନିଷ୍ପତ୍ତିକୁ ଅଢ଼େଇ ବର୍ଷ ପୂରିବାକୁ ବସିଥିଲା ବେଳେ ଯୋଜନା ଓ ପରିକଳ୍ପନା କୁଆଡ଼େ ଗଲା, ତାହା କାହାକୁ ଜଣାନାହିଁ । ତେବେ ଶିଳ୍ପମନ୍ତ୍ରୀ କହିଛନ୍ତି,ଏ ଦିଗରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ।
ଭୁବନେଶ୍ବରରେ ଷ୍ଟେଟ୍ ଅଫ୍ ଆର୍ଟ ଏଗ୍ଜିବିସନ୍ ସେଣ୍ଟର କାମ କାହିଁକି ଆଗେଇ ପାରିନି, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।