କନକ ବ୍ୟୁରୋ: ଘୋଷଣାରେ ଅଟକିଛି ଓଡ଼ିଶାର ଶୀତଳ ଭଣ୍ଡାର ଯୋଜନା । ଓଡ଼ିଶା ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ରାଜ୍ୟର ୫୮ଟି ଉପଖଣ୍ଡରେ ଅତି କମ୍ ରେ ୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଥଣ୍ଡା ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।  ଫାଇନାନ୍ସିଆଲ୍ ଆସିଷ୍ଟାନ୍ସ ଟୁ କୋଲ୍ଡ ଷ୍ଟୋରେଜ୍ (ଏଫ୍ଏସିଏସ୍) ଯୋଜନା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକରେ ସ୍ପଷ୍ଟତାର ଅଭାବ ଯୋଗୁଁ ନିବେଶକମାନଙ୍କୁ ଉତ୍ସାହିତ କରିପାରି ନାହିଁ । ଯୋଜନା କାର୍ଯ୍ୟକାରୀ କରିବାକୁ ଥିବା ଆଗ୍ରିକଲଚରାଲ୍ ପ୍ରମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଆପିକଲ୍) ଚଳିତ ବର୍ଷ ଜାନୁଆରୀରେ ୧୪ଟି ପ୍ରସ୍ତାବ ପାଇଥିଲା । ସେଥିରୁ ଏପର୍ଯ୍ୟନ୍ତ ୫ଟି ପ୍ରସ୍ତାବକୁ ଆପିକଲ ଅନୁମୋଦନ ଦେଇଛି, କିନ୍ତୁ ଭୂମି ସ୍ତରରେ କିଛି କାର୍ଯ୍ୟକାରୀ ହୋଇନାହିଁ । 

Advertisment

ସରକାର ୬ କୋଟି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫୦ରୁ ୬୦ ପ୍ରତିଶତ ପୁଞ୍ଜି ନିବେଶ ସବସିଡି, ସୁଧ ଫେରସ୍ତ, ୫୦ ପ୍ରତିଶତ ବିଦ୍ୟୁତ୍ ଟାରିଫ୍ ସବସିଡି ଏବଂ କାର୍ଯ୍ୟକାରୀ ପୁଞ୍ଜି ସହାୟତା ପ୍ରଦାନ କରିବାକୁ ପ୍ରତିଶୁତି ଦେଇଛନ୍ତି । ଏଥିପାଇଁ ସରକାର ୨୫୨ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏଫ୍ଏସିଏସ୍ ଯୋଜନାରେ ନିବେଶକମାନଙ୍କଠାରୁ ଆଶାନୁରୂପ ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଛି । ଜଣେ ଶୀତଳ ଭଣ୍ଡାର ପରିଚାଳକ କହିଛନ୍ତି ଯେ ମୂଳ ଅଡ଼ୁଆ ହେଉଛି ଅନିଶ୍ଚିତତା ଏବଂ ପର୍ଯ୍ୟାପ୍ତ ଉତ୍ପାଦନର ଅଭାବ । ଅଧିକାଂଶ ଶୀତଳ ଭଣ୍ଡାର ସାମଗ୍ରୀର ଅଭାବ ଯୋଗୁଁ କ୍ଷମତା ତଳେ କାର୍ଯ୍ୟ କରୁଛି । ନିଶ୍ଚିତ ଉତ୍ପାଦନ ଆଧାର ବିନା ଶୀତଳ ଭଣ୍ଡାରଗୁଡ଼ିକ ସ୍ତର ବଜାୟ ରାଖିପାରିବ ନାହିଁ । ଯାହା କ୍ଷତି ହେବାର ଆଶଙ୍କାକୁ ବଢାଇଥାଏ । ବର୍ଦ୍ଧି ପରିଚାଳନା ଖର୍ଚ୍ଚ ଯୋଗୁ ଶେଷରେ ଏହା ବନ୍ଦ ହେବା ସ୍ଥିତିକୁ ଆସିଯିବାର ସମ୍ଭାବନା ରହିଛି ।