କନକ ବ୍ୟୁରୋ: ରାଜ୍ୟରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ଏହି ତାଲିକାରେ ଯୋଡ଼ି ହେଉଛି ନୂଆ ନୂଆ ଜିଲ୍ଲା। ଗୋଟିଏ ଗୋଟିଏ ଅଞ୍ଚଳରେ ଅଚାନକ ମାଡ଼ି ଯାଉଛି ଡାଇରିଆ। ଆଉ ଗଡୁଛି ମୁଣ୍ଡ। ଯାଜପୁରରେ ଡାଇରିଆ ସ୍ଥିତି ଉଦବେଗଜନକ ଥିବାବେଳେ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି । ଯାଜପୁର ପରେ କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ଝାଡ଼ାବାନ୍ତି ଆକ୍ରାନ୍ତ । ଯାଜପୁର ଜିଲ୍ଲାର ସ୍ଥିତି ଭୟଙ୍କର ରହିଛି । ୧୦ ବ୍ଲକରେ ୧୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ଭାବେ ସ୍ପଷ୍ଟ କରାଯାଇନଥିଲେ ବି ଜିଲ୍ଳାରେ ୧୪ ଜଣଙ୍କର ମୁଣ୍ଡ ଗଡ଼ିଛି । ବଡ଼ କଥା ହେଉଛି ୧୧ ନମୁନାରୁ ହଇଜା ଜୀବାଣୁ ଚିହ୍ନଟ ହେବା ପରେ ଲୋକେ ଛାନିଆ ହୋଇପଡ଼ିଛନ୍ତି ।
ଯାଜପୁର ପରେ ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାରେ ଏବେ ପାଦ ପକାଇଛି ହଇଜା । କେନ୍ଦ୍ରାପଡ଼ା ଏଣ୍ଡର ଶ୍ୟାମସୁନ୍ଦରପୁର ଗାଁରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଏପରିକି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସଜନୀ ମଲିକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ଥିତି ବିଗୁଡୁଥିବାବେଳେ ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଭୁବନ ଏନଏସି ଓ ବ୍ଲକର ବିଭିନ୍ନ ପଞ୍ଚାୟତରେ ବି ବ୍ୟାପିଛି ଡାଇରିଆ l ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ତେବେ କେଉଁ କାରଣରୁ ଭୁବନରେ ଝାଡ଼ାବାନ୍ତି ବ୍ୟାପିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପଡ଼ୋଶୀ ଯାଜପୁର ଜିଲ୍ଲାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି l ଏହି ଖବର ପାଇ ଉପଜିଲ୍ଲାପାଳ ଓ ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଯାଜପୁର ସୀମାକୁ ଲାଗିଥିବା କେନ୍ଦୁଝର ଘଷିପୁରା ଅଞ୍ଚଳରେ ଡାଇରିଆକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଘସିପୁରା ବ୍ଲକ ଚମ୍ପାପାଳ ଗାଁର ଜଣେ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନର ନିଦ ହଜିଛି ।
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ମଧ୍ୟ ଡାଇରିଆ ଆତଙ୍କ ଦେଖାଦେଇଛି । ଘୋଳପୁର ଗାଁରେ ଆଉ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବ ପରେ ଭୟ ବଢ଼ିଛି । ସେପଟେ ୧୨ ଜଣ ଆକ୍ରାନ୍ତ ତିଗିରିଆ, ଆଠଗଡ଼ ଓ ଜଣେ ଗୁରୁତରଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ତେବେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି ।
ଡେଉଁଛି ଡାଇରିଆ, ୬ ଜିଲ୍ଳାକୁ ମାଡ଼ି ଗଲାଣି ଝାଡ଼ାବାନ୍ତି
ସୀମା ଡେଉଁଛି ଡାଇରିଆ । ୬ଜିଲ୍ଳାକୁ ମାଡିଗଲାଣି ଝାଡାବାନ୍ତି । ଯାଜପୁରରେ ସ୍ଥିତି ସଂଗୀନ । ବେସରକାରୀ ଭାବେ ୧୪ ମୃତ୍ୟୁ । ୧୦ବ୍ଲକରେ ୧୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା, ଢ଼େଙ୍କାନାଳ, କେନ୍ଦୁଝର, କଟକ ବାଙ୍କିରେ ବି ବ୍ୟାପୁଛି ।
/kanak/media/media_files/2025/06/15/PbYAiPQPjlfhn3vBiOrO.jpg)