କନକ ବ୍ୟୁରୋ: ଆଉ ଜଣଙ୍କ ଜୀବନ ନେଲା ହଇଜା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହଇଜା ଆତଙ୍କ । ଆଉ ଜଣଙ୍କ ଜୀବନ ନେଇଛି ଝାଡ଼ାବାନ୍ତି । ଉସ୍ତାପଲ୍ଲୀ ଗାଁରେ ଆଉ ଜଣଙ୍କ ମୃତ୍ୟୁ ଝାଡାବାନ୍ତିରେ ହୋଇଥିବା ଅଭିଯୋଗ ହୋଇଛି । ଆଉ ୧୦ ଆକ୍ରାନ୍ତ ବ୍ରହ୍ମପୁର ଓ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତ ଲଗାଣ ବର୍ଷାରେ ପାଣି ଓ ପବନ ପ୍ରଦୂଷିତ ହୋଇ ଗାଁରେ ହଇଜା ଭଳି ମାରାତ୍ମକ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆତଙ୍କରେ ଗ୍ରାମବାସୀ ।
ଗ୍ରାମର ଏକମାତ୍ର ଭାରସାଯୋଗ୍ୟ ନଳକୂପ ପାଣି ଗେରୁଆରଙ୍ଗ ହୋଇ ପ୍ରଦୂଷଣ ହେବା ଫଳରେ ସେହି ପାଣି ପିଇ ଲୋକେ ଏପରି ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ କରିଛନ୍ତି । ଗତକାଲି ଦାସ ଶବରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଚିକିତ୍ସିତ ହେଉଥିବା ବେଳେ, ଆଜି ପୁଣି ଯାଇଛି ଜଣକ ଜୀବନ । ୩୭ ବର୍ଷୀୟ ପ୍ରକାଶ ରଇତ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତକାଲି ଗାଁକୁ ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯାଇ ସ୍ୱାସ୍ଥ୍ୟ ବିଭାଗକୁ ଗାଁର ସ୍ଥିତି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଫେରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପହଂଚି ପାଣିର ନମୂନା ସଂଗ୍ରକ କରି ପରୀକ୍ଷା ପାଇଁ ପଠାଇଛନ୍ତି ।