କନକବ୍ୟୁରୋ : ଭୁବନେଶ୍ୱରରେ ବ୍ୟାପିଛି ଝାଡ଼ାବାନ୍ତି  । ଆକ୍ରାନ୍ତ ସଂଖ୍ୟା ୧୪୦ ରୁ ଅଧିକ ହେଲାଣି । ଦୂଷିତ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ  ।  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ  ।  ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ୧୩ ନମ୍ବର ୱାର୍ଡରୁ ଆସିଛି ଏମିତି ଏକ ଖବର ଯାହା ରାଜଧାନୀ ବାସିନ୍ଦାଙ୍କ ଚିନ୍ତା ବଢ଼ାଇ ଦେଇଛି  ।

Advertisment

ଗତ ଶନିବାରଠାରୁ ଭୁବନେଶ୍ୱର ସ୍ଥିତ ନୀଳମାଧବ ନିବାସରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି  ।  ଏଥିରେ ପ୍ରାୟ ଦେଢ଼ ଶହ ଲୋକ ଏବେ ସୁଦ୍ଧା ଆକ୍ରାନ୍ତ ହେଲେଣି ।  ତେବେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି  । ଏହା ସହ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏଠାରେ ରୋଗୀଙ୍କ ସାମ୍ପୁଲ କଲେକ୍ସନ କରି ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରୁଛନ୍ତି  ।  

କିନ୍ତୁ ଘରେ ଘରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା କାରଣରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘରୁ କେହି ଲୋକ ବାହାରକୁ ବାହାରୁ ନାହାନ୍ତି । ମୁଖ୍ୟତଃ ପାଣିପାଇଁ ସମସ୍ୟା ହୋଇଛି ।  ଦୀର୍ଘଦିନ ହେବ ଏଠାକାର ମୁଖ୍ୟ ପାଣିଟାଙ୍କି ସଫା ହୋଇନାହିଁ ।  ପାଣି ଟାଙ୍କି ଭିତରେ ବିଭିନ୍ନ ଅଳିଆ ଆବର୍ଜନା ପଡି ପଙ୍କ ହୋଇଗଲାଣି ଫଳରେ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି।  ଅନ୍ୟପଟେ ପାଣି ସାମ୍ପୁଲ ପରୀକ୍ଷଣ ରିପୋର୍ଟ କହୁଛି ପାଣି ବିଶୋଧିତ ହୋଇନାହିଁ ,  ଯାହା ଲୋକଙ୍କ ସ୍ୱାସ୍ଥ୍ୟ ସହ କି ପ୍ରକାରର ଖେଳ ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ  ।