କନକବ୍ୟୁରୋ : ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା । ତିନିମାସ ପରେ ଯାଜପୁର ଜିଲ୍ଳାକୁ ପୁଣି ଡରାଇଲାଣି ଡାଇରିଆ। ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଦଳିତ ସାହିରେ ଝାଡାବାନ୍ତିରେ ଜଣେ ମହିଳାଙ୍କର କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ୬ ରୁ ୭ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଏମାନଙ୍କ ମଧ୍ୟରୁ ୩ ଜଣ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗାଁରେ ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥା ଓ ଭୂତଳ ଜଳ ପ୍ରଦୂଷଣ ଯୋଗୁଁ ଗାଁକୁ ଝାଡାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି । ଗାଁରେ ଶୌଚ ହେବାକୁ ଯଥେଷ୍ଟ ସ୍ଥାନ ନଥିବାରୁ ସମସ୍ତେ ଗୋଟିଏ ସ୍ଥାନକୁ ବ୍ୟବହାର କରୁଥିବାରୁ ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ଲୋକ । ସେପଟେ ଏହି ଖବର ମିଳିବା ପରେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଟିମ୍ ଗାଁରେ ପହଂଚି ଓ.ଆର.ଏସ, ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ଯୋଗାଇବା ସହ ପ୍ରାଥମିକ ପଦକ୍ଷେପ ନେଇଥିବା ସ୍ଥାନୀୟ ସରପଂଚ ଜଗନ୍ନାଥ ଖଣ୍ଡେଇ କହିଛନ୍ତି ।